ମହିଳା ବକ୍ସିଂ କ୍ୟାମ୍ପରେ ୨୧ ପଜିଟିଭ୍

ନୂଆଦିଲ୍ଲୀ,ଏଜେନ୍ସି: ଜାତୀୟ ମହିଳା ବକ୍ସିଂ କ୍ୟାମ୍ପରେ ୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୧ ଜଣ ପଜିଟିଭଙ୍କ ମଧ୍ୟରେ ଭାରତୀୟ ମହିଳା ବକ୍ସିଂ ଦଳର ହାଇ ପର୍ଫମାନ୍ସ ଡାଇରେକ୍ଟର ରାଫାଲେ ବର୍ଗାମାସ୍କୋ ଏବଂ ମୁଖ୍ୟ କୋଚ୍ ମହମ୍ମଦ ଅଲୀ ସାମିଲ ଅଛନ୍ତି। ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କେହିବି ଅଲିମ୍ପିକ୍ସ ପ୍ରତ୍ୟାଶୀ ନଥିବା ସାଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସାଇ ପକ୍ଷରୁ କୌଣସି ଆକ୍ରାନ୍ତଙ୍କ ନାମ ଘୋଷଣା କରାଯାଇନାହିଁ। ତେବେ କୋଚିଂ ଷ୍ଟାଫଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ରହିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ୍ କମ୍ପେ୍ଲକ୍ସରେ କରୋନା ଆକ୍ରାନ୍ତ ବକ୍ସର ଏବଂ କୋଚ୍ ମାନଙ୍କୁ ଆଇସୋଲେସନରେ ରଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କରୋନା ସଂକ୍ରମଣ ବୃଦ୍ଧି କାରଣରୁ ଗତ ସପ୍ତାହରେ ଦେଶବ୍ୟାପୀ ସାଇର ସମସ୍ତ ପ୍ରଶିକ୍ଷଣ କେନ୍ଦ୍ରକୁ ବନ୍ଦ କରାଯିବା ସହିତ ଆଥଲେଟ ମାନଙ୍କୁ ୩ ସପ୍ତାହ ଛୁଟିରେ ପଠାଯାଇଥିଲା।