ମୁମ୍ବାଇ,ଏଜେନ୍ସି: ମୁକେଶ ଅମ୍ବାନୀଙ୍କ ବାସଭବନ ଆଣ୍ଟିଲିଆ ସମ୍ମୁଖରୁ ବିସ୍ଫୋରକ ବୋଝେଇ ସ୍କର୍ପିଓ ଜବତ ମାମଲାରେ ବର୍ତ୍ତମାନ ନୂଆ ମୋଡ ଦେଖିବାକୁ ମିଳିଛି। ଏହି ଘଟଣାରେ ଗିରଫ ହୋଇଥିବା ମୁମ୍ବାଇ ପୁଲିସର ନିଲମ୍ବିତ ସବଇନିସପେକ୍ଟର ସଚିନ ଭାଜେ କୁଆଡେ ଅନ୍ୟ ଦୁଇଜଣଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ କୁହାଯାଇଛି। ହତ୍ୟା କରିବାପରେ ଏହି ଦୁଇ ବ୍ୟକ୍ତିଙ୍କ ଉପରେ ସ୍କର୍ପିଓ ମାମଲାର ଅଭିଯୋଗ ଲଦିବାକୁ ଭାଜେ ଚକ୍ରାନ୍ତ କରିଥିଲେ ବୋଲି ଏନଆଇଏ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛି। ଫେବୃଆରୀ ୨୫ରେ ଆଣ୍ଟିଲିଆ ସମ୍ମୁଖରେ ଏହି ସ୍କର୍ପିଓ ଠାବ କରାଯାଇଥିଲା। ମୂଳ ଯୋଜନା ଅନୁଯାୟୀ ଉକ୍ତ ଦିନ ଦୁଇ ସନ୍ଦିଗ୍ଧ ବ୍ୟକ୍ତି ଔରଙ୍ଗାବାଦରୁ ଚୋରି କରାଯାଇଥିବା ଏକ ମାରୁତି ଇକୋ ସ୍ପୋର୍ଟସ କାରରେ ଆଇଇଡି ବିସ୍ଫୋରକ ବୋଝେଇ କରି ଆଣ୍ଟିଲିଆ ସମ୍ମୁଖରେ ପାକିଂ କରିଥାନ୍ତେ। ବିସ୍ଫୋରଣ ପୂର୍ବରୁ ସଚିନ ଏହି ଦୁଇ ବ୍ୟକ୍ତିଙ୍କୁ ଏନକାଉଣ୍ଟର କରି ସୁନାମ ଅର୍ଜିବାକୁ ଚକ୍ରାନ୍ତ କରିଥିଲେ। ତେବେ କୌଣସି କାରଣରୁ ଏହି ଯୋଜନା ଫସର ଫାଟିବାକୁ ଦ୍ୱିତୀୟ ଯୋଜନାକୁ (ସ୍କର୍ପିଓ ପାର୍କିଂ)କୁ ସଚିନ କାର୍ଯ୍ୟକାରୀ କରାଇଥିଲେ। ତେବେ ଦୁଇ ବ୍ୟକ୍ତିଙ୍କର ପରିଚୟ ଏନ୍ଆଇଏ ଅଧିକାରୀ ଜାଣିପାରିନାହାନ୍ତି। ସ୍କର୍ପିଓ ମାଲିକ ମନସୁଖ ହିରେନଙ୍କ ହତ୍ୟାପଛରେ ମଧ୍ୟ ସଚିନଙ୍କର ହାତ ରହିଥିବାର ପ୍ରମାଣ ମିଳିସାରିଛି। ସଚିନ ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ ହୋଇଥିଲେ ସୁଦ୍ଧା ଦୁର୍ବଳ ରଣନୀତି ତାଙ୍କୁ ନିଜ ଜାଲରେ ଫସାଇଥିବା କୁହାଯାଉଛି।