ହାଟରୁ ଫେରୁଥିଲେ କୃଷ୍ଣଚନ୍ଦ୍ର, ଟେକି ନେଇ କଚାଡ଼ି ଦେଲା ହାତୀ

ଦେବଗଡ଼,ଏନ୍ଏନ୍ଏସ୍: ବାରକୋଟ ଥାନା ଅନ୍ତର୍ଗତ ସାନମାଣପୁର ଗ୍ରାମ ନିକଟସ୍ଥ ଆମ୍ବ ତୋଟା ନିକଟରେ ଆଜି ରାତିରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବାରକୋଟ ଓ ପରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ, କୁଲସରା ଗ୍ରାମର କୃଷ୍ଣଚନ୍ଦ୍ର ନାଏକ ଆଜି ସନ୍ଧ୍ୟା ୮ଟା ସମୟରେ ମହୁଲ ବିକ୍ରି କରି ସାଇକେଲରେ ଘରକୁ ଫେରୁଥିବା ସମୟରେ ସାନମାଣପୁର ଗ୍ରାମ ନିକଟସ୍ଥ ଆମ୍ବ ତୋଟା ନିକଟରେ ଏକ ହାତୀ କୃଷ୍ଣଙ୍କୁ ଶୁଣ୍ଢରେ ଟେକିନେଇ କଚାଡି ଦେଇଥିଲା। ହାତୀ ଆକ୍ରମଣରେ କୃଷ୍ଣ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବା ବେଳେ ପଛରୁ ଆସୁଥିବା ଅନ୍ୟ କେତେକ ବାଟୋଇ କୃଷ୍ଣଙ୍କୁ ଉଦ୍ଧାର କରିବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ ।