ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ କାରାଦଣ୍ଡ

ଫୁଲବାଣୀ,ଏନ୍ଏନ୍ଏସ୍: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ମାମଲାର ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଆଜି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ଥ କରିବାସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଦୋଷୀକୁ ୧୨ ହଜାର ଟଙ୍କା ଜୋରିମାନା କରାଯାଇଛି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଫିରିଙ୍ଗିଆ ଥାନା ଅଞ୍ଚଳର ବିନୋଦ ନାୟକ ।

ସୂଚନା ଅନୁଯାୟୀ, ୨୦୧୭ ଅଗଷ୍ଟ ୧୮ ତାରିଖରେ ଜଣେ ୫ ବର୍ଷର ଜଣେ ନାବାଳିକା ତାଙ୍କ ସାଙ୍ଗମାନଙ୍କ ସହ ଖେଳୁଥବା ବେଳେ ସେହି ଗ୍ରାମର ବିନୋଦ ତାଙ୍କୁ କୌଶଳ କରି ଘରକୁ ଡାକି ନେଇଥିଲେ। ଘର ଭିତରେ ନାବାଳିକାଙ୍କୁ ସେ ବିବସ୍ତ୍ର କରି ଅସଦାଚାରଣ କରୁଥିବା ସମୟରେ ନାବାଳିକାଙ୍କ ବାପା ଝିଅକୁ ଖୋଜି ସେଠାରେ ପହଞ୍ଚି ଥିଲେ। ଘରର କବାଟ ଖୋଲିବା ପରେ ବିନୋଦ ଦୁଷ୍କର୍ମରେ ଲିପ୍ତ ଥିବା ଦେଖିବାକୁ ପାଇଥିଲେ। ଝିଅକୁ ସେଠାରୁ ଉଦ୍ଧାର କରି ଆଣିବା ପରେ ସେ ଫିରିଙ୍ଗିଆ ଥାନାରେ ଏତାଲା ଦେଇଥିଲେ। ଏତଲା ଅଧାରରେ ଏକ ମାମଲା ରୁଜୁ କରି ବିନୋଦଙ୍କୁ ଗିରଫ କରିଥିଲା ପୁଲିସ। ଫୁଲବାଣୀ ପୋକସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।