ଦେବଗଡ଼ରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳିତ 

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାର ସ୍ଥାନୀୟ ଟାଉନହଲଠାରେ ଆଜି ଜିଲ୍ଲାସ୍ତରୀୟ  ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ମନ୍ତ୍ରୀ ସୁଶାନ୍ତ କୁମାର ସିଂହ, ମୁଖ୍ୟବକ୍ତା ଭାବେ ଆଦର୍ଶ ସ୍ମାତକ ବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଧ୍ୟାପକ ଡକ୍ଟର ହେମନ୍ତ କୁମାର ଦାଶ, ସମ୍ମାନିତ ଅତିଥି ଭାବେ  ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଧାମୟୀ ପଟେଲ, ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥିବୃନ୍ଦ ଉତ୍କଳର ବରପୁତ୍ରଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଆ ଭାଷାକୁ ଅନୁବାଦ ଦ୍ୱାରା ସାରା ଦେଶ ତଥା ବିଶ୍ୱରେ ଓଡ଼ିଆ ଭାଷାର ମହାତ୍ମ୍ୟକୁ ପ୍ରଚାର ପ୍ରସାର କରିବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟବକ୍ତା ମତବ୍ୟକ୍ତ କରିଥିଲେ। ବିଧାୟକ ଶ୍ରୀ ପାଣିଗ୍ରାହୀ ଓଡ଼ିଆ ଭାଷା ସମ୍ପ୍ରଦାୟର ବହୁ ଅଞ୍ଚଳ ଓଡ଼ିଶାରେ ମିଶି ପାରିନଥିବାବେଳେ କୋଟିଆ ପ୍ରସଙ୍ଗ ଉଠାଇ ପରୋକ୍ଷରେ ରାଜ୍ୟ ସରକାରଙ୍କୁ ଏଥିପାଇଁ ଦାୟୀ କରିଥିଲେ। ସଭା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବାବେଳେ ସଭା ପରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ବିଜୟ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ବହୁ ବିଶିଷ୍ଟ ବ୍ୟକ୍ତି, ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ଓ ଜନସାଧାରଣ ଉପସ୍ଥିତ ଥିଲେ।