ଲାଞ୍ଚ ନେବା ମହଙ୍ଗା ପଡ଼ିଲା, ଭିଜିଲାନ୍ସ ଜାଲରେ ଡାକ୍ତର

ଫୁଲବାଣୀ,ଫିରିଙ୍ଗିଆ, ଏନ୍ଏନ୍ଏସ୍: ଜନୈକ ଅଧସ୍ତନ କର୍ମଚାରୀଙ୍କଠାରୁ ଲାଞ୍ଚ ନେବା ଜଣେ ଡାକ୍ତରଙ୍କ ପାଇଁ ମହଙ୍ଗା ପଡିଛି। ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡ଼ିକାଲ୍ ଅଫିସର ଡାକ୍ତର ନିଶିଥ୍ ନିଶାଙ୍କ ମାଲୁଙ୍କୁ ବୁଧବାର ଭିଜଲାନ୍ସ ବିଭାଗ କର୍ମଚାରୀ ଧରିଛନ୍ତି। ଫିରିଙ୍ଗିଆ ସିଏଚସିରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ ବେଣୁଧର ଦିଗାଲଙ୍କର ଆରସିଏମ ଏବଂ ଟିଏ ବିଲ୍ ବାବଦରେ ୪୧ ହଜାର ଟଙ୍କା ପାଇବାର ଥିଲା। ଏନେଇ ବେଣୁଧର ଗତ ୧୦ ତାରିଖରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ଦାୟିତ୍ୱରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧୀକାରୀ ଡାକ୍ତର ମାଲୁ ଉକ୍ତ ବିଲ୍ ପାଶ୍ କରିବା ପାଇଁ ବେଣୁଧରଙ୍କୁ ୭ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ବେଣୁଧର ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ବୁଧବାର ଟଙ୍କା ଦେଲେ ବିଲ୍ କରିଦେବି ବୋଲି ଡ଼ାକ୍ତର ପୂର୍ବରୁ ଦେଇଥିବା ସୂଚନା ପ୍ରକାରେ ଡାକ୍ତର ମାଲୁ ତାଙ୍କ କାର୍ଯ୍ୟାଳୟରେ ବେଣୁଧରଙ୍କଠରୁ ଏହି ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ଭିଜିଲାନ୍ସ ବିଭାଗ କର୍ମଚାରୀ ତାଙ୍କୁ ଧରିଥିଲେ। ତାଙ୍କ ପକେଟରୁ ୭ ହଜାର ଲାଞ୍ଚ ଟଙ୍କାକୁ ଜବତ କରାଯାଇଛି। ମାଲୁଙ୍କ ବିରୋଧରେ ବ୍ରହ୍ମପୁର ଭିଜଲାନ୍ସ ଥାନାରେ ନଂ.୭ା୨୧ ରେ ଏକ ମାମଲା ରୁଜୁ କରାଯାଇ ତାଙ୍କୁୁ ଗିରଫ କରାଯାଇଛି। ମାଲୁଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ତାଙ୍କର ଜାମିନ ଆବେଦନ ନାମଂଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଡ଼ାକ୍ତର ନିଶିଥଙ୍କ ଫିରିଙ୍ଗିଆ ସରକାରୀ ବାସଭବନ ଓ ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ଘରେ ମଧ୍ୟ ଭିଜିଲାନ୍ସ ଚଢାଉ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କହିଛି।