ପଶୁଙ୍କ ପାଇଁ ବିଶ୍ୱର ପ୍ରଥମ କୋଭିଡ୍ ଟିକା ପଞ୍ଜିକୃତ କଲା ରୁଷିଆ

ମସ୍କୋ, ଏଜେନ୍ସି: ପଶୁମାନଙ୍କ ପାଇଁ ବିଶ୍ୱର ପ୍ରଥମ କୋଭିଡ୍ ଟିକା ‘କାନ୍ନିଭାକ୍-କୋଭ୍’ ପ୍ରସ୍ତୁତ କରିବାକୁ ଯାଉଛି ରୁଷିଆ। ଏଥିପାଇଁ ପଞ୍ଜିକରଣ କରାଯାଇଛି ବୋଲି ଏହାର ନିୟନ୍ତ୍ରକ ରଶେଲଖୋଜନାଡଜୋର ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଟିକା ଦ୍ୱାରା କୁକୁର, ବିରାଡ଼ି ଓ କୋକିଶିଆଳି ପ୍ରଭୃତିଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି(ଆଣ୍ଟିବଡ଼ି) ସୃଷ୍ଟି ହେଉଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଏପ୍ରିଲରୁ ଏହାର ଉତ୍ପାଦନ ଆରମ୍ଭ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ପଶୁଙ୍କ ଠାରୁ ମଣିଷଙ୍କୁ କରୋନା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା ପ୍ରକାଶ ପାଇବା ପରେ ଏଥିନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଉଦବେଗ ପ୍ରକାଶ କରିଥିଲା। ତେବେ ଏହି ନିୟନ୍ତ୍ରକ କହିଛନ୍ତି, ‘କାନ୍ନିଭାକ୍-କୋଭ୍’ ଟିକା ସଂକ୍ରମିତ ହେବାର ସମ୍ଭାବନା ଥିବା ପ୍ରଜାତିଗୁଡ଼ିକୁ ରକ୍ଷା କରିପାରିବ। ରୁଷିଆରେ ଏପର୍ଯ୍ୟନ୍ତ ପଶୁଙ୍କୁ କୋଭିଡ୍ ସଂକ୍ରମଣର ଦୁଇଟି ମାମଲା ଚିହ୍ନଟ ହୋଇଛି। ଏହି ସଂକ୍ରମଣ ଦୁଇଟି ବିରାଡ଼ିଙ୍କ କ୍ଷେତ୍ରରେ ଦେଖାଯାଇଥିଲା। ଡେନମାର୍କରେ ନେଉଳ ଜାତୀୟ ଏକ କ୍ଷୁଦ୍ର ଜୀବ ଠାରୁ କରୋନା ଭୂତାଣୁର ସଂକ୍ରମଣ ହେଉଥିବା ଆଶଙ୍କା କରି ଗତବର୍ଷ ସେଠାରେ ଏହି ପ୍ରଜାତିର ୧.୭୦ ଲକ୍ଷ ଜୀବଙ୍କୁ ହତ୍ୟା କରାଯାଇଥିଲା। ରଶେଲଖୋଜନାଡଜୋର ଆହୁରି କହିଛନ୍ତି, ଟିକା ବହୁଳ ପରିମାଣରେ ପ୍ରସ୍ତୁତ କରାଗଲେ ରୁଷିଆର ଫାର୍ମଗୁଡ଼ିକରେ ଏହାର ଚାହିଦା ପୂରଣ ହେବା ସହ ଗ୍ରୀସ୍, ପୋଲାଣ୍ଡ ଓ ଅଷ୍ଟ୍ରିଆକୁ ଏହି ଟିକା ଯୋଗାଇ ଦିଆଯାଇପାରିବ।