ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି କୁଲଦୀପ ମନର ଫାଜ୍ଜାର ମୃତ୍ୟୁ ହୋଇଛି। ଶୁକ୍ରବାର କୁଳଦୀପ ଫାଜ୍ଜା ଗୁରୁ ତେଗ ବାହାଦୁର ଡାକ୍ତରଖାନାରୁ ଚମ୍ପଟ ମାରିଥିଲା। ଫେରାର ପରେ ସେ ରୋହିଣୀ ସେକ୍ଟର ୧୪ରେ ଥିବା ତୁଳସୀ ଆପାର୍ଟମେଣ୍ଟରେ ଲୁଚି ରହିଥିବା ପୁଲିସ ସୂଚନା ପାଇଥିଲା। ଏହା ପରେ ଦିଲ୍ଲୀର ସ୍ବତନ୍ତ୍ର ପୁଲିସ କୁଳଦୀପ ଉପରେ ଗୁଳି ଚଲାଇଥିଲା।
ପୁଲିସ ଗୁଳିରେ କୁଳଦୀପ ଆହତ ହୋଇଥିଲା। ତାକୁ ଆହତ ଅବସ୍ଥାରେ ଆମ୍ବେଦକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହା ସହିତ ଅପରାଧି ଗ୍ୟାଙ୍ଗର ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି ଓ ଜଣେ ଆହତ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
କୁଲଦୀପ ଗତ ବର୍ଷ ସ୍ବତନ୍ତ୍ର ପୁଲିସ ଦ୍ବାରା ଗିରଫ ହୋଇଥିଲା। କୁଲଦୀପ ନାଁରେ ହତ୍ୟା, ହତ୍ୟା ଉଦ୍ୟମ ଓ ଡକାୟତି ଭଳି ୭୦ଟି ମାମଲା ରହିଥିଲା। ଗୁରୁବାର ପୁଲିସ ତାକୁ ଡାକ୍ତରଖାନା ନେଉଥିବା ସମୟରେ ତାର ସହଯୋଗୀମାନେ ପୁଲିସ ଉପରେ ଆକ୍ରମଣ କରିବା ସମୟରେ କୁଲଦୀପ ଖସି ପଳାଇଥିଲା।