ଢାକା,ଏଜେନ୍ସି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ କରି ବାଂଲାଦେଶରେ ହିଂସା। ବିଭିନ୍ନ ପୁଲିସ ଷ୍ଟେସନ ଓ ଶିବିରକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏଥିରେ ୨୬ ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ହିଫାଜତ-ଏ-ଇସଲାମ ସମର୍ଥକଙ୍କ ଦ୍ବାରା ଏହି ହିଂସା ଘଟାଯାଇଛି।
ଶନିବାର ବ୍ରାହ୍ମଣପୁରିୟାର ସରାଇଳ ଉପଜିଲ୍ଲାର ଅରୁଏଲ ପୁଲିସ ଶିବିରକୁ ଟାର୍ଗେଟ କରିବା ସହ ଫରିଦପୁର ଜିଲ୍ଲାର ଭଙ୍ଗାସ୍ଥିତ ଏକ ପୁଲିସ ଷ୍ଟେସନ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ କରି ଗତକିଛି ଦିନ ହେବ ବାଂଲାଦେଶର ରାଜଧାନୀ ଢାକା ସମେତ ଦେଶର ଅନ୍ୟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଜାରି ରହିଥିଲା। ଶୁକ୍ରବାର ଦ୍ବିପହରରେ ଜମାତ-ଉଲ-ମୁଜାହିଦ୍ଦିନର ହିପାଜତ ସମର୍ଥକଙ୍କ ନେତୃତ୍ବରେ ହଜାର ସଂଖ୍ୟକ ଇସଲାମବାଦୀ ମସଜିଦରେ ପ୍ରାର୍ଥନା କରିବା ଆଳରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିରୋଧ ପ୍ରଦର୍ଶନ ପୂର୍ବରୁ ଚାଟଗ୍ରାମ, ବ୍ରାହ୍ମଣବାଡିଆ, ଢାକା ସମେତ ଅନ୍ୟାନ୍ୟ ଅଞ୍ଚଳରେ ସୁରକ୍ଷା ବଢାଇ ଦିଆଯାଇଥିଲା। ଆରୁଏଲ ପୁଲିସ କ୍ୟାମ୍ପ ଉପରେ ଶନିବାର ରାତି ପ୍ରାୟ ୩.୩୦ ସମୟରେ ଆକ୍ରମଣ କରାଯାଇଥିଲା। ଆହତ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସରେଲ ପୁଲିସ ଷ୍ଟେସନର ଇନ୍ସପେକ୍ଟର (ଅନୁସନ୍ଧାନ) କବୀର ହୁସେନ୍ ରହିଛନ୍ତି।
ପୁଲିସ ଏବଂ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଆରୁଏଲ ବଜାରରେ ଅପରାହ୍ନ ୨ ଟାରେ ସ୍ଥାନୀୟ ଲୋକଙ୍କ ସହ ହଜାର ହଜାର ମଦ୍ରାସା ଛାତ୍ର ଏକ ରାଲି କରିଥିଲେ। ଏହାର ନେତୃତ୍ୱ ନେଇଥିଲେ ମୌଳାନା ଆବୁ ତାହର, ହୁସେନ୍ ଅହମ୍ମଦ, ମହମୁଦୁର ରାଶେଦ ଏବଂ ଓଲିଉଲ୍ଲା। ସେପଟେ କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ସେଥିପାଇଁ ସରକାର ଦାୟି ରହିବେ ବୋଲି ଆତଙ୍କବାଦୀମାନେ ଚେତାବନୀ ଦେଇଥିଲେ। ଗତ ଶୁକ୍ରବାର ରାତିରେ ରାଜଧାନୀର ପୁରାଣ ପାଲଟାନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ହିଫାଜତ-ଇ-ଇସଲାମର ନାଇବ-ଆମୀର ଅବଦୁର ରାବ ୟୁସୁଫି ଶନିବାର ଦିନ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଏବଂ ରବିବାର ସକାଳେ ଧର୍ମଘଟ ଡାକରା ଦେଇଥିଲେ।