ଦେବଗଡ଼ ଜିଲ୍ଲା ଓକିଲ ସଂଘ ନିର୍ବାଚନରେ ପ୍ରମଥେଶ ସଭାପତି, ଟିକେଶ୍ୱର ସମ୍ପାଦକ

ଦେବଗଡ଼, ଏନ୍ଏନ୍ଏସ୍ : ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ପ୍ରଦତ୍ତ ନିୟମାବଳୀ ଅନୁଯାୟୀ ଆଜି ଦେବଗଡ଼ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ନିର୍ବାଚନ ଅଧିକାରୀଭାବେ ଆଇନଜୀବୀ ଶ୍ରୀବତ୍ସ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ନିର୍ବାଚନରେ ସମ୍ପାଦକ ପଦବୀ ପାଇଁ ଭୋଟ ଗ୍ରହଣ କରାଯାଇଥିଲା। ଏହି ପଦବୀ ପାଇଁ ଆଇନଜୀବୀ ଟିକେଶ୍ୱର ଧଳ ଓ ଆଇନଜୀବୀ ତରଣୀକାନ୍ତ ଦାଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା। ଏଥିରେ ଟିକେଶ୍ୱର ୩୭ଟି ଭୋଟ ପାଇଥିବାବେଳେ ତରଣୀକାନ୍ତ ୩୨ଟି ଭୋଟ ପାଇଛନ୍ତି। ସେହିପରି ୪ଟି ଭୋଟ ନାକଚ ହୋଇଯାଇଛି। ସମ୍ପାଦକ ବ୍ୟତୀତ ଅନ୍ୟ ସମସ୍ତ ପଦବୀ ପାଇଁ ଜଣେ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସମସ୍ତେ ନିର୍ଦନ୍ଦ୍ୱରେ ଜିତିଛନ୍ତି। ଏହି ନିର୍ବାଚନରେ ଜିଲ୍ଲା ଓକିଲ ସଂଘର ସଭାପତି ଭାବେ ଆଇନଜୀବୀ ପ୍ରମଥେଶ ଗୁରୁ, ଉପସଭାପତି ଭାବେ ରୁଦ୍ରମଣୀ ବେହେରା, ସମ୍ପାଦକ ଭାବେ ଟିକେଶ୍ୱର ଧଳ, ସହସମ୍ପାଦକ ଭାବେ ବିରେନ କୁମାର ପ୍ରଧାନ ଓ କୋଷାଧ୍ୟକ୍ଷ ଭାବେ ରାଜକିଶୋର ପ୍ରଧାନ ନିର୍ବାଚିତ ହୋଇଥିବାବେଳେ କାର୍ଯ୍ୟକାରୀ ସଦସ୍ୟଭାବେ ଆଇନଜୀବୀ ସରୋଜ କୁମାର ପାତ୍ର, ପିଙ୍କିରାଣୀ ନନ୍ଦ, ସୁଶାନ୍ତ କୁମାର ବିଶ୍ୱାଳ, ସିଦେ୍ଧଶ୍ୱର ଗୁରୁ ଓ ଶୈଳେନ୍ଦ୍ର କୁମାର ସାହୁ ମନୋନୀତ ହୋଇଥିବା ଏକ ପ୍ରେସ ବାର୍ତ୍ତାରେ ସମ୍ପାଦକ ଶ୍ରୀ ଧଳ ସୂଚନା ଦେଇଛନ୍ତି।