ଗୁଣୁପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା ଗୁଣୁପୁର କୋର୍ଟ ପରିସରରେ ନୂଆ ସମ୍ପାଦକ ନିର୍ବାଚନ ନିମନ୍ତେ ଓକିଲ ସଂଘ ପକ୍ଷରୁ ଭୋଟ ପ୍ରକିୟା ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୁବ ଆଇନଜୀବୀ ରାଜକିଶୋର ଦାସ ସହନିର୍ବାଚନ ଅଧିକାରୀ ଭାବେ ଯୋଗଦେଇ ନିର୍ବାଚନ କାର୍ୟ୍ୟ ତୁଲାଇଥିଲେ। ଓକିଲ ସଂଘ ପକ୍ଷରୁ ପ୍ରାୟ ସମସ୍ତ ଆଇନଜୀବୀ ଭୋଟ କେନ୍ଦ୍ରରେ ଉପସ୍ଥିତ ରହି ଭୋଟ ମାଧ୍ୟମରେ ନିଜ ମତାମତ ପ୍ରକାଶ କରିଥିଲେ। ମିଳିଥିବା ରିପୋର୍ଟ ମୁତାବିକ, ଚଳିତ ନିର୍ବାଚନରେ ସଭାପତି ପଦବୀ ନିମନ୍ତେ ନିର୍ଦନ୍ଦ୍ୱରେ ପୁଣିଥରେ ଶ୍ରୀ ବ୍ରହ୍ମାନନ୍ଦ ପଟ୍ଟନାୟକ ଗୁଣପୁର ଓକିଲ ସଂଘ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହାସହ ସରୋଜ କୁମାର ପାଣିଗ୍ରାହୀ ଉପସଭାପତି, ଗଣେଶ ସାହୁ ଉପସମ୍ପାଦକ ଓ ଗୋବିନ୍ଦ ସାହୁ କୋଷାଧ୍ୟକ୍ଷ ପଦବୀ ପାଇଁ ସମସ୍ତଙ୍କ ସହମତିକ୍ରମେ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। କିନ୍ତୁ ଚଳିତ ନିର୍ବାଚନର ମୁଖ୍ୟ ଆକର୍ଷଣ ଭାବେ ସମ୍ପାଦକ ପଦବୀ ନିମନ୍ତେ ଦୁଇ ଯୁବ ଆଇନଜୀବୀ ଶ୍ରୀ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଓ ପୂର୍ବ ସମ୍ପାଦକ ଶ୍ରୀ ରମେଶ ଚନ୍ଦ୍ର ଲିମାଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଶେଷରେ ସର୍ବମୋଟ ୬୫ ଭୋଟ ମଧ୍ୟରୁ ରମେଶ ଚନ୍ଦ୍ର ଲିମା ୨୫ଟି ଭୋଟ ପାଇଥିବାବେଳେ ୪୦ଟି ଭୋଟ ପାଇ ଇନ୍ଦ୍ରାକ୍ଷୀ ପ୍ରସାଦ ଦାଶ ଗୁଣପୁର ଓକିଲ ସଂଘର ନଵସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି।