ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଅନ୍ତର୍ଗତ କାଇଁସର ଗ୍ରାମ ନିକଟସ୍ଥ ତାରଙ୍ଗ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ବନ କର୍ମଚାରୀ ୨ଜଣ ଶିକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଅଫୁଟା ଗୁଳି ଓ ଶିକାର ପାଇଁ ଉଦ୍ଦିଷ୍ଟ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଗତକାଲି ରିଆମାଳ ବନାଞ୍ଚଳ ଅଧିକାରୀ ଭବାନୀ ଶଙ୍କର ଦାସଙ୍କ ନିର୍ଦ୍ଦେଶରେ ବନପାଳ ତୁଷାର ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ବନରକ୍ଷୀ ଯୋଶବନ୍ତ ଦାଶ ଓ ବାହାନ ବେହେରାଙ୍କ ସମେତ ବନ କର୍ମଚାରୀମାନେ ତାରଙ୍ଗ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ପାଣିଖୋଲ ଜଙ୍ଗଲ ମଧ୍ୟରେ ଶିମିଳିହତା ଗ୍ରାମର ବିଷ୍ଣୁ ଚରଣ ପ୍ରଧାନ(୫୦) ଓ କାଇଁସର ଗ୍ରାମର କବି ଚନ୍ଦନ(୫୬) ନାମକ ୨ଜଣ ଜନ୍ତୁ ଶିକାରୀ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ ଧରି ଜଙ୍ଗଲ ମଧ୍ୟରେ ବୁଲୁଥିବା ବେଳେ ବନ କର୍ମଚାରୀମାନେ ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେମାନଙ୍କ ନିକଟରୁ ଗୁଳି ଭର୍ତ୍ତି ଥିବା ଦେଶୀ ବନ୍ଧୁକ, ୨ଟି ଅଫୁଟା ଗୁଳି, ଗନ ପାଉଡର ଓ ପଟାସ ପାଉଡର ଆଦି ଜବତ କରିଥିଲେ। ଯାଞ୍ଚ ସମୟରେ ଅଭିଯୁକ୍ତମାନେ ବନ କର୍ମଚାରୀଙ୍କୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ବନ କର୍ମଚାରୀମାନେ ସେମାନଙ୍କୁ କାବୁ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା କରିଥିଲେ। ସେମାନେ ଜନ୍ତୁ ଶିକାର ପାଇଁ ଜଙ୍ଗଲକୁ ଯାଇଥିବା ସ୍ୱୀକାର କରିବା ପରେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ବନ୍ୟ ଜନ୍ତୁ ସଂରକ୍ଷଣ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରି ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।