ବାଙ୍ଗଲାଦେଶରେ ପହଞ୍ଚିଲେ ମୋଦୀ

ଢାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱି-ଦିବସୀୟ ବାଙ୍ଗଲାଦେଶ ଗସ୍ତ କରି ଆଜି ରାଜଧାନୀ ଢାକାରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମୋଦୀଙ୍କ ସ୍ୱାଗତ କରିଥିଲେ। କରୋନା ଆରମ୍ଭ ହେବା ପରଠୁ ଏହା ହେଉଛି ମୋଦୀଙ୍କ ପ୍ରଥମ ବିଦେଶ ଗସ୍ତ ଯେଉଁଠି ଉଭୟ ଦେଶ ମଧ୍ୟରେ ଥିବା ସମ୍ବନ୍ଧକୁ ଆଗକୁ ବଢ଼ାଇବା ପାଇଁ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋଇଙ୍ଗ ୭୭୭ରେ ଢାକା ପହଞ୍ଚିଛନ୍ତି। ମୋଦୀଙ୍କୁ ହଜରତ ଶାହାଜଲାଲ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ସୁରକ୍ଷାବଳର ଯବାନମାନେ ସଲାମି ଦେଇଛନ୍ତି। ବିମାବନ୍ଦରରୁ ପ୍ରଧାନମନ୍ତ୍ରୀଙ୍କ ସାବର ଯିବାର କାର୍ଯ୍ୟକ୍ରମ ରହିଛି। ଏଠାରେ ୧୯୭୧ ବାଙ୍ଗଲାଦେଶ ସ୍ୱାଧୀନତା ଲଢ଼େଇରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପରେ ଧାନମୋଣ୍ଡୀ, ୩୨ସ୍ଥିତ ବଙ୍ଗବନ୍ଧୁ ସ୍ମାରକକୁ ଯାଇ ବାଙ୍ଗଲାଦେଶ ସଂସ୍ଥାପକ ଶେଖ ମୁଜୀବୁର ରହମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ପ୍ରଧାନମନ୍ତ୍ରୀ ନ୍ୟାସନାଲ ପ୍ୟାରେଡ ସ୍କୋୟାରରେ ଆୟୋଜିତ ସମାରୋହରେ ସାମିଲ ହେବେ।