ଖରାଦିନେ ପାଣି ସମସ୍ୟା ଦୂର ପାଇଁ ପୌର ପ୍ରଶାସନର ବୈଠକ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌରପରିଷଦ ଅଞ୍ଚଳରେ ଖରାଦିନେ ପାଣି ସମସ୍ୟା ଦୂର କରିବା ପାଇଁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଲପାହାଡ଼ ଅଞ୍ଚଳର ବିଭିନ୍ନ ଓାର୍ଡରେ ଖରାଦିନରେ ଲୋକେ ପିଇବା ପାଣି ବୁନ୍ଦାଏ ପାଇବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଆଉ ଏହି ସମସ୍ୟାକୁ ଦୂର କରି ପୂର୍ବରୁ କିପରି ଲୋକଙ୍କ ପାଖକୁ ପାଣିି ପଠାଯିବ ସେନେଇ ଆଜି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ ବୈଠକରେ ଆଲୋଚନା କରିଛନ୍ତି। ଏଥିଲାଗି ଟେଙ୍କର ଯୋଗେ ଜଳ ଯୋଗାଣ, ବନ୍ଦ ପଡ଼ିଥିବା ନଳକୂପ, ଖରାପ ହୋଇପଡ଼ିଥିବା ପାଣି ଟାଙ୍କି ଗୁଡ଼ିକ ଆଦିର ଶୀଘ୍ର ମରାମତି କରିବା ପାଇଁ ପୌର ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପ୍ରତ୍ୟେକ ୱାର୍ଡ ଅଫିସରଙ୍କୁ ଲୋକଙ୍କ ସହ ତୃଣମୂଳ ସ୍ତରରେ ଯୋଗାଯୋଗ ରଖି ଜଳାଭାବର ଅଭିଯୋଗ ମିଳିବା କ୍ଷଣି ତୁରନ୍ତ ପାଣି ଯୋଗାଇବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବେଲପାହାଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀ, ଲାଲମୋହନ କିସାନ, ବିରେନ ମିତ୍ର ବେହେରା, ମୋନାଲିସା ମହାପାତ୍ର, ସୁଶାନ୍ତ ପଟେଲ ଓ ପରମେଶ୍ୱର ପଟେଲ ପ୍ରମୁଖଙ୍କ ସହ ସମସ୍ତ ୱାର୍ଡ ଅଫିସର ଉପସ୍ଥିତ ଥିଲେ।