ଆସନ୍ତାକାଲି କୃଷକଙ୍କ ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ,ଏଜେନ୍ସି: ନୂଆ କୃଷି ଆଇନକୁ ନେଇ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଗତ ବର୍ଷ ନଭେମ୍ବର ୨୮ ତାରିଖରୁ ଏହି ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିସହ ଆସନ୍ତାକାଲି ଏହି ଆନ୍ଦୋଳନକୁ ୧୨୦ ଦିନ ପୂର୍ତ୍ତି ହେଉଛି। ଏନେଇ ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ଡାକରା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ବନ୍ଦ ଡାକରା ମଧ୍ୟରେ କୃଷକ ସଂଗଠନ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିବେ।

ଏହା ପୂର୍ବରୁ କୃଷକଙ୍କ ଦ୍ୱାରା ୩ ଘଣ୍ଟା ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଯାହା ଫଳରେ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିନଥିଲା। କୃଷକ ସଂଗଠନ ଅନୁସାରେ ୧୨ ଘଣ୍ଟିଆ ବନ୍ଦ ଡାକରାରେ ସମସ୍ତ ଦୋକାନ ବଜାର ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବ।