ଗୁଣୁପୁର,ଏନ୍ଏନ୍ଏସ୍: ଆଜି ସନ୍ଧ୍ୟାରେ ରାୟଗଡ଼ା ଜିଲ୍ଲା ଗୁଣୁପୁର ବ୍ଲକ ଲିମାମେଡା ଗ୍ରାମରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି । ଏଠାରେ ପ୍ରବାହିତ ମହେନ୍ଦ୍ରତନୟା ନଦୀକୂଳରେ ମହାଦେବଙ୍କ ଏକ ଲିଙ୍ଗ ଆବିଷ୍କାର ହୋଇଛି । ଏହି ଘଟଣା ପ୍ରଚାରିତ ହେବାପରେ ଆଖପାଖ ଅଞ୍ଚଳରୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁଯାୟୀ, ଗ୍ରାମର ଦିଲ୍ଲୀପ ଶବରଙ୍କ ଭଉଣୀ ଟୁବୁରୀ ଶବରଙ୍କୁ ଦୁଇ ମାସ ଧରି ସ୍ୱପାଦେଶ ହୋଇ ଆସୁଥିଲା । ହେଲେ ପ୍ରକୃତସ୍ଥାନ ଚିହ୍ନଟ କରିବାରେ ସେ ସଫଳ ହୋଇପାରି ନଥିଲେ । କିଛି ଦିନ ପୂର୍ବରୁ ପୁଣିଥରେ ସ୍ୱପ୍ନାଦେଶ ହେବାରୁ ସପରିବାରେ ଆସି ଏହି ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରିବାରୁ ଏକ ଗୋଲାକାର ପଥରାକୃତି ଶିବଲିଙ୍ଗ ଦେଖିବାକୁ ପାଇଥିଲେ । ଆଜି ସୋମବାର ହୋଇଥିବାରୁ ଆବିଷ୍କୃତ ମହାଦେବଙ୍କୁ ଗଙ୍ଗାଧର ନାମକରଣରେ ପୂଜାର୍ଚ୍ଚନା କରିବାକୁ ସ୍ୱପ୍ନାଦେଶ ହୋଇଥିବା ଉକ୍ତମହିଳା ପ୍ରକାଶ କରିଛନ୍ତି ।