ଦେବଗଡ଼,ଏନ୍ଏନ୍ଏସ୍ : ଦେବଗଡ଼ ବନଖଣ୍ଡ ଅନ୍ତର୍ଗତ ବାରକୋଟ ବନାଞ୍ଚଳରେ ଅବାଧ ବନ୍ୟଜନ୍ତୁ ଶିକାର ରୋକିବା ଲାଗି ଏସଟିଏଫ ପକ୍ଷରୁ ଗତ କିଛି ଦିନ ହେବ ଉକ୍ତ ବନାଞ୍ଚଳରେ ତୀକ୍ଷ୍ମ ନଜର ରଖାଯାଇଥିଲା। ଏହି କ୍ରମରେ ଉକ୍ତ ଅଞ୍ଚଳରେ ଏକ ଚିତା ବାଘ ଶିକାର କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଗତକାଲି ଏସଟିଏଫ ଡିଏସପି ପ୍ରବୀଣ କୁମାର ତ୍ରିପାଠୀ ଏବଂ ଏସଆଇ ତୃପ୍ତି ରଞ୍ଜନ ଦାସଙ୍କ ନେତୃତ୍ୱରେ ଏସଟିଏଫର ଏକ ସ୍ୱତନ୍ତ୍ର ଦଳ ବାରକୋଟ ବନାଞ୍ଚଳ ଅନ୍ତର୍ଗତ କାଦୋପଡ଼ା ଗ୍ରାମରେ ଚଢ଼ଉ କରିଥିଲେ। ପରେ ଉକ୍ତ ଗ୍ରାମର ସୋମନାଥ ପାତ୍ର ଓ ରାଜୀବ ଲୋଚନ ପାତ୍ରଙ୍କୁ ଏସଟିଏଫ୍ ଟିମ୍ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ଚିତା ବାଘର ଚମଡ଼ା, ଦାନ୍ତ, ନିଶ, ନଖ ଓ ପଞ୍ଜା ଜବତ କରିଥିଲା। ଏନେଇ ଏସଟିଏଫ ଥାନା ପୁଲିସ ଏକ ମାମଲା ରୁଜୁୁ କରି ଉଭୟ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା। ଅଭିଯୁକ୍ତଦ୍ୱୟ ବାଘ ଶିକାର କରିଥିବା ସ୍ୱୀକାର କରିବା ପରେ ଏହାର ଚେର ଅନ୍ୟ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାଥମିକ ତଦନ୍ତରୁ ଏସଟିଏଫକୁ ସୂଚନା ମିଳିଛି। ଏହି ମାମଲାରେ ଏସଟିଏଫ ପକ୍ଷରୁ ଆଗକୁ ଆହୁରି ଚଢ଼ଉ କରାଯିବାର ସମ୍ଭାବନା ରହିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ ଏସଟିଏଫ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।
ସୂଚନାଯୋଗ୍ୟ, ଗତ ୨୦୧୯ ଜୁନ ୧୯ରେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳରୁ କ୍ରାଇମ ବ୍ରାଞ୍ଚ ସ୍ପେସାଲ ଟାକ୍ସଫୋର୍ସ ଦ୍ୱାରା ବେଆଇନ ବାଘ ଛାଲ ବ୍ୟବସାୟ ଅଭିଯୋଗରେ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା ପରେ ୨୨ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିଲା। ଏହି ବେଆଇନ ବାଘ ଛାଲ ବ୍ୟବସାୟରେ ସଂପୃକ୍ତି ଥିବା ଅଭିଯୋଗରେ କ୍ରାଇମ ବ୍ରାଞ୍ଚ ଏସଟିଏଫ ୨୯ ତାରିଖ ଦିନ ପୁଣି ୪ଜଣ ବ୍ୟବାସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଗତ ୨୦୧୯ ମସିହା ସେପ୍ଟେମ୍ବର ୨୪ ତାରିଖରେ ଦେବଗଡ଼ ବନ ବିଭାଗ ବାଘ ଛାଲ ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଲ୍ଲାରେ ବେଆଇନ ଭାବେ ବନ୍ୟଜନ୍ତୁ ଶିକାର ଏବଂ ବ୍ୟବସାୟ ଜାରି ରହିଥିବା ବେଳେ ଗୁଇନ୍ଦା ସୂଚନା ସଂଗ୍ରହ କରିବାରେ ବନ ବିଭାଗ ଅସମର୍ଥ ରହୁଥିବା କାରଣରୁ ଏପରିି ଘଟଣାର ପୁନରାବୃତ୍ତି ହେଉଥିବା ବହୁ ପ୍ରକୃତି ପ୍ରେମୀ ମତ ପ୍ରକାଶ କରିଛନ୍ତି।