ରାୟଗଡ଼ା,ଏନ୍ଏନ୍ଏସ୍: ହତ୍ୟାକାଣ୍ଡରେ ଗିରଫ ମୁଦାଲା ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ସୁରକ୍ଷାରେ ଅବହେଳା ଅଭିଯୋଗରେ ଗୁଡାରୀ ଥାନାର ଦୁଇଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଅନ୍ୟପକ୍ଷେ ହତ୍ୟା ଅଭିଯୋଗରେ ଗିରଫ ମୁଦାଲା ଆତ୍ମହତ୍ୟା ଉଦ୍ୟମ କରିବା ପରେ ତାଙ୍କ ବିରୋଧରେ ନୂଆ ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇ ଥିବା ଜଣାପଡିଛି । ସୂଚନା ମୁତାବକ, ଗତ ୧୩ ତାରିଖ ରାତିରେ ଗୁଡାରୀ ଥାନା ଅନ୍ତର୍ଗତ ନାଇରା ଗ୍ରାମରେ କେତେକ ଦୁର୍ବୃତ୍ତ କିରଣ ଗାଣ୍ଟା ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ।
ଏହି ଘଟଣାରେ ତଦନ୍ତ କରି ଗୁଡାରୀ ପୁଲିସ ପ୍ରଥମ ପର୍ଯ୍ୟାୟରେ କିରଣର ଦୁଇ ସ୍ତ୍ରୀ ଶାଶୂଙ୍କ ସମେତ ୮ଜଣଙ୍କୁ ଗିରଫ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ନୀଳମ୍ବର ଶବର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଗୁଡାରୀ ଥାନା ହାଜତରେ ରଖିଥିବା ବେଳେ ନୀଳାମ୍ବର ଶବର ପୁଲିସ ହାଜତରେ ଥିବା ସମୟରେ ଗଳାକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପରେ ପୁଲିସ ହେପାଜତରେ ମୁଦାଲାର ଚିକିତ୍ସା ରାୟଗଡା ଜିଲ୍ଲା ହସ୍ପିଟାଲରେ କରାଇଥିଲା । ଏହି ଘଟଣାରେ ନୀଳାମ୍ବର ସୁରକ୍ଷା ଦାୟିତ୍ୱରେ ଥିବା ଏଏସଆଇ ଲୋକନାଥ ଦୋରା ଓ କନଷ୍ଟେବଲ ବିରାଜିନି ପଟ୍ଟନାୟକ ନିଲମ୍ବିତ ହୋଇଛନ୍ତି । ଏ ସମ୍ପର୍କରେ ଏସଡିପିଓ ରାଜ କିଶୋର ଦାସଙ୍କୁ ପଚାରିବାରୁ କାର୍ଯ୍ୟରେ ଅବହେଳା ପାଇଁ ଉଭୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଥିବା ବେଳେ କଏଦୀର ଆତ୍ମହତ୍ୟା ଉଦ୍ୟମ ଯୋଗୁଁ ସୁରକ୍ଷାରେ ଆବହେଳା ଯୋଗୁଁ ନିଲମ୍ବନ ଘଟଣାକୁ ଏଡାଇ ଦେଇଥିଲେ ।