କୋରାପୁଟ,ଏନ୍ଏନ୍ଏସ୍: ଲମତାପୁଟ ପୁଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଥିବାବେଳେ ଚୋରା ଗଞ୍ଜେଇ ବେପାରରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ। ଏ ସମ୍ପର୍କରେ ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ଯୋଗେଶ ହନ୍ତାଳ(୩୦), ଗୋବିନ୍ଦ କିର୍ଷାନୀ, ରାମପାଲ୍ ସିଂହ(୩୬) ଓ ଶ୍ୟାମ୍ ସିଂହ(୪୦) ବୋଲି ଜଣାପଡିଛି।
ଗତକାଲି ରାତିରେ ଲମତାପୁଟ ଠାରୁ ପ୍ରାୟ ୫ କିଲୋମିଟର ଦୂର ସଗର ଛକ ନିକଟରେ ପୁଲିସ ପାଟ୍ରୋଲିଂ କରୁଥିବାବେଳେ ଜଲାପୁଟ ଅଞ୍ଚଳରୁ (ଓଡି-୧୦ଇ-୮୦୬୪) ଓ (ଓଡି-୧୦ଏନ୍-୪୭୪୧) ନମ୍ବର ପ୍ଲେଟ୍ ଥିବା ୨ଟି ଅଟୋରିକ୍ସା ଆସୁଥିଲା। ପୁଲିସ ଅଟୋ ଦୁଇଟିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ଲମତାପୁଟ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନ ଅଟୋ ସହ ଉପରୋକ୍ତ ୪ ଜଣଙ୍କୁ ଲମତାପୁଟ ଫାଣ୍ଡିକୁ ଆଣି ସେଥିରେ ଥିବା ଗଞ୍ଜେଇ ଓଜନ କରିଥିଲେ।
୨ଟି ଅଟୋରୁ ୩୫୦ କିଲୋ ୧୦୦ ଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଜିଲ୍ଲା ମୁଚିମପୁଟ ଥାନା ଅଞ୍ଚଳରୁ ଜଲାପୁଟ, ସଗର ଦେଇ ହରିୟାଣାକୁ ନିଆଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।