ରବି ଫସଲର ଟୋକନ ପାଇଁ ଜମି ରୋଜିଷ୍ଟ୍ରେସନରେ ସମସ୍ୟା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଖରିଫ ଫସଲରେ ସ୍ୱଳ୍ପ ଟାର୍ଗେଟ ଓ ଟୋକନ ଅବବ୍ୟବସ୍ଥା ଆଦି କାରଣରୁ ଝାରସୁଗୁଡ଼ା ଜିଲ୍ଲାର ଅନେକ ଚାଷୀ ସରକାରଙ୍କୁ ଧାନ ବିକ୍ରି କରି ନପାରି ବହୁ କ୍ଷତି ସହିଛନ୍ତି। ତେବେ ଏହି ସମସ୍ୟା ଏବେ ପୁଣି ରବି ଫସଲ ଆରମ୍ଭରୁ ଦେଖା ହେଲାଣି। ରବି ଫସଲର ଟୋକନ ଆବେଦନ ପାଇଁ ଜମି ରେଜିଷ୍ଟ୍ରେସନ ହୋଇପାରୁ ନଥିବା ଲଖନପୁର ବ୍ଲକର ଚାଷୀମାନେ ଅଭିଯୋଗ କରିଛନ୍ତ। ସେମାନଙ୍କ କହିବାନୁସାରେ, ରବି ଫସଲରେ ସେମାନେ ନିଜସ୍ୱ ଖର୍ଚ୍ଚରେ ଜଳସେଚିତ କରି ଧାନ ଅମଳ କରିଛନ୍ତି। ଧାନଗୁଡ଼ିକ ମଧ୍ୟ ଆଣ୍ଠୁଏ ଉଠି ସାରିଲାଣି। ହେଲେ ଧାନ ଅମଳ ପରେ ସେମାନେ ଏହାକୁ ସରକରାଙ୍କ ନିକଟରେ ବିକ୍ରି କରିବା ପାଇଁ ଟୋକନର ଆବଶ୍ୟକତା ପଡ଼ିବ। ଫଳରେ ସରକାରଙ୍କ ନିୟମ ଅନୁଯାୟୀ ଚାଷୀମାନେ ଟୋକନ ଆବେଦନ ପାଇଁ ସମବାୟ ସମିତି (ପ୍ୟାକ୍ସ)କୁ ଚାଷ କରିଥିବା ଜମିର ରେଜିଷ୍ଟ୍ରେସନ କରିବାକୁ ଯାଇଥିଲେ। ହେଲେ ସେଠାରେ ଜମି ରେଜିଷ୍ଟ୍ରେସନ ପାଇଁ ଫର୍ମ ଫିଲଅପ ସମୟରେ ଆଧାର କାର୍ଡ, ବ୍ୟାଙ୍କ ପାସବୁକ, ଜମିର ବିବରଣୀ, ବୋର ୱେଲ ମାଧ୍ୟମରେ ଚାଷ ହେଉଥିଲେ ମଧ୍ୟ କନଜ୍ୟୁମର ନମ୍ବର ଦେବାକୁ ପଡୁଛି। ହେଲେ ଯେଉଁ ଚାଷୀ ପୋଖରୀ, କଁଟା ଓ ଝରଣାରୁ ଡିଜେଲ ପମ୍ପ ଅବା ଅନ୍ୟ କୌଣସି ଉପାୟରେ ନିଜସ୍ୱ ଖର୍ଚ୍ଚରେ ପାଣି ନେଇ ଚାଷ କରିଛନ୍ତି ସେମାନଙ୍କ ଜମି ରେଜିଷ୍ଟ୍ରେସନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଆଉ ଏହି ଚାଷୀଙ୍କ ପାଖରେ ବୋରୱେଲ ଅବା ଲିଫ୍ଟ ଇରିଗେସନର କନଜ୍ୟୁମର ନମ୍ବର ଅବା ଇଲେକ୍ଟ୍ରି ବିଲ ନଥିବାରୁ ଏମାନେ ଟୋକନ ଆବେଦନ କରି ପାରୁନାହାନ୍ତି। ଟୋକନ ଆବେଦନ ନହେଲେ ଏହି ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନକୁ ଦଲାଲକୁ ବିକ୍ରି କରି ଶୋଷଣର ଶିକାର ହେବାକୁ ବାଧ୍ୟ ହେବେ। ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ନିଜସ୍ୱ ଖର୍ଚ୍ଚରେ ପଖୋରୀ, କଁଟା, ଝରଣା ପାଣି ବ୍ୟବହାର କରି ଚାଷ କରିଥିବା ଚାଷୀଙ୍କୁ ରବି ଫସଲରେ ଟୋକନ କିପରି ଦେବେ ସେନେଇ ବ୍ୟବସ୍ଥା କରନ୍ତୁ ବୋଲି ସାଗରପାଲି ଗ୍ରାମର ଚାଷୀ, ନରେନ୍ଦ୍ର ପ୍ରଧାନ, ଭାସ୍କର ପ୍ରଧାନ, ମାନସ ପ୍ରଧାନ, ଲକ୍ଷ୍ମଣ ପାତ୍ର, ଜୀବର୍ଦ୍ଧନ ସେଠ, ସତ୍ୟବାନ ପାତ୍ର ଓ ଭରତ କିସାନ ପ୍ରମୁଖ ଦାବି କରିଛନ୍ତି । ଅନ୍ୟପଟେ ଏନେଇ ଅଧିକ ସୂଚନା ପାଇଁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା।