ଦେବଗଡ଼,ଏନ୍ଏନ୍ଏସ୍ : ବାରକୋଟ ଥାନା ଅନ୍ତର୍ଗତ କଲାଗ୍ରାମ ନିକଟସ୍ଥ ୪୯ନଂ ଜାତୀୟ ରାଜପଥ ଉପରେ ଆଜି ସକାଳେ ଭୁବନେଶ୍ୱରସ୍ଥିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ ଚଢ଼ଉ କରି କେମିକାଲ ବୋଝେଇ ଟ୍ରକରୁ ଅଢ଼େଇ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଟ୍ରକ ଚାଳକକୁ ଗିରଫ କରିଛି। ଉକ୍ତ ଟ୍ରକ ମଧ୍ୟରେ ଥିବା ଅନ୍ୟ ୨ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ମୁତାବିକ, ଅନୁଗୁଳ ଜିଲ୍ଲାରୁ ରାଜସ୍ଥାନକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶସ୍ତ ସୂତ୍ରରୁ ସୂଚନା ପାଇ ଭୁବନେଶ୍ୱରସ୍ଥିତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଏକ ଟିମ ଉକ୍ତ ଟ୍ରକକୁ କଟକରୁ ପିଛା କରିଥିଲା। ତେବେ ଟ୍ରକଟି ଅନୁଗୁଳର ଏକ ସ୍ଥାନରୁ ଗଞ୍ଜେଇ ବୋଝେଇ କରି ରାଜସ୍ଥାନ ଅଭିମୁଖେ ବାହାରିବା ପରେ ଏନସିବିର ସ୍ୱତନ୍ତ୍ର ଦଳ ଉକ୍ତ ଟ୍ରକର ପିଛା କରିଥିଲା। ତେବେ ଟ୍ରକକୁ ପୁଲିସ ପିଛା କରୁଥିବା ଜାଣିପାରି ଟ୍ରକ ଚାଳକ ଦ୍ରୁତ ଗତିରେ ଗାଡ଼ିକୁ ନେଇ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ ଏନସିବି ଟିମ ବାରକୋଟ ଥାନା ଅନ୍ତର୍ଗତ କଲାଗ୍ରାମ ନିକଟରେ ଗାଡ଼ିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲା। ସେହି ସମୟରେ ଟ୍ରକଟି ଏନସିବି ଟିମ ଥିବା ବୋଲେରୋକୁ ଧକ୍କା ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନଥିଲା। ପରେ ଗାଡ଼ିକୁ ଅଟକାଇ ଏନସିବି ଅଧିକାରୀମାନେ ଯାଞ୍ଚ କରିବା ସମୟରେ ସେଥିରୁ ୨୮୦ କିଲୋଗ୍ରାମରୁ ଉର୍ଦ୍ଧ୍ୱ ଗଞ୍ଜେଇ ପ୍ୟାକେଟ ଜବତ କରିବା ସହ ଗାଡ଼ି ଚାଳକକୁ କାବୁ କରିଥିଲା। ତେବେ ଏନସିବି ଟିମ୍ ଉକ୍ତ ଟ୍ରକକୁ ଜବତ କରି ବାରକୋଟ ଥାନାକୁ ଆଣି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏଥିସହିତ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାରୁ ଘଟଣା ସମ୍ପର୍କରେ ଏନସିବି ଅଧିକାରୀମାନେ ପ୍ରତିକ୍ରିୟା ଦେବାକୁ ସ୍ପଷ୍ଟ ମନା କରିଥିଲେ।