ତାରିଖ ବଦଳାଇ ବିକୁଥିଲେ ଏକ୍ସପାୟରୀ ପାଣି ବୋତଲ, ଚଢ଼ଉ କଲା ପ୍ରଶାସନ

ପାଟଣାଗଡ଼,ସଇଁନ୍ତଳା, ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ଏକ୍ସପାୟରୀ ପାଣି ବୋତଲରେ ତାରିଖ ବଦଳାଇ ବିକ୍ରି କରାଯାଉଥିଲା । ଏନେଇ ବିଶେଷ ସୂତ୍ରରୁ ଖବର ପାଇ ପାଟଣାଗଡ଼ ପ୍ରଶାସନ ତରଫରୁ ଆଜି ବରମପୁରା ସ୍ଥିତ ଏକ ଗୋଦାମ ଘରେ ଚଢ଼ଉ କରାଯାଇଛି। ବୋତଲରେ ଏକ୍ସପାୟରୀ ତାରିଖ ପରିବର୍ତ୍ତନ କରୁଥିବା ସମୟରେ ଉକ୍ତ ଗୋଦାମ ମାଲିକ ବିଶେଶ୍ୱର ପାଣିଗ୍ରାହୀକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଖପ୍ରାଖୋଲ ତହସିଲଦାର ଧୀରଜ ପାତ୍ର ମାଜିଷ୍ଟ୍ରେଟ ଭାବେ, ପାଟଣାଗଡ ଥାନା ଅଧିକାରିଣୀ କେ ପ୍ରିୟଙ୍କା ରାଉତରାୟ ଓ ବଲାଙ୍ଗିର ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ସିଙ୍କୁ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି। ବିଶେଶ୍ୱର ପାଣିଗ୍ରାହୀ ବୋତଲ ଆଣି ଏଠାରେ ତାରିଖ ପରିବର୍ତ୍ତନ କରୁଥିବା ଦେଖିବାକୁ ମିଳିଛି। ସେ ବିଭିନ୍ନ ସମୟରେ ଏସଏସ୍ ଇଣ୍ଡଷ୍ଟ୍ରିଜରୁ ପାଣି ଆଣି ଥାଆନ୍ତି। ତେଣୁ ଏସଏସ୍ ଇଣ୍ଡଷ୍ଟ୍ରିଜ ମାଲିକ ସରୋଜ ମେହେର ମଧ୍ୟ ସନ୍ଦେହ ଘେରରେ। ଏପରିକି ତାଙ୍କ ପୁରୁଣା କାରଖାନାରେ ବିପୁଳ ମାତ୍ରାରେ ଡିସ୍ଟିଲ ୱାଟର ମହଜୁତ ଥିବା ଦେଖିବାକୁ ମିଳିଛି। ଏହି ବୋତଲରେ ତାଙ୍କ କାରଖାନାର ଲେବଲ ନଥିବା ବେଳେ କଳିଙ୍ଗ ଗେସେସ କମ୍ପାନୀର ଲେବଲ ଲାଗିଛି। ତେଣୁ ଅଲଗା କମ୍ପାନୀ ନାମରେ ଏସଏସ୍ ଇଣ୍ଡଷ୍ଟ୍ରିଜ ଡିସଟଲ ୱାଟର ବିକ୍ରି କରୁଥିବା ସନ୍ଦେହ ଉପୁଜିଛି। ଏପରିକି ଲାଇସେନ୍ସ ନ ଥାଇ ଏସଏସ୍ ଇଣ୍ଡଷ୍ଟ୍ରିଜ ବେଆଇନ୍ ଭାବେ ଡିସ୍ଟିଲ ୱାଟର ବିକ୍ରି କରୁଛି। ଦୀର୍ଘ ଦିନରୁ ଏହି ବେଆଇନ୍ କାରବାର ଚାଲିଥିଲେ ବି ପ୍ରଶାସନ ଜାଣି ପାରିଲା ନାହିଁ କେମିତି ସେନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସେପଟେ ବରମପୁରାର ଏକ ଗୋଦାମ ଉପରେ ଚଢ଼ଉ କରିବା ସହ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ନମୁନା ଆସିଲା ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀ କହିଛନ୍ତି।