ହାଇଦ୍ରାବାଦ,ଏଜେନ୍ସି: ଆଜି ବିଶ୍ୱ ଉପଭୋକ୍ତା ଅଧିକାର ଦିବସ। ପ୍ରତିବର୍ଷ ମାର୍ଚ୍ଚ ୧୫ ତାରିଖରେ ଏହି ଦିବସ ପାଳନ ହୋଇ ଆସୁଛି। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କ ଅଧିକାର ଓ ଆବଶ୍ୟକତା ଉପରେ ସଚେତନ କରିବା। ଯାହାଫଳରେ ଜଣେ ଉପଭୋକ୍ତା ନିଜ ପ୍ରତି ହେଉଥିବା ଅନ୍ୟାୟ ପ୍ରତି ସ୍ୱର ଉଠାଇପାରିବ। ଚଳିତ ବର୍ଷ ଉପଭୋକ୍ତା ଦିବସର ଥିମ୍ ରହିଛି ‘ଟ୍ୟାକେଲ୍ ପ୍ଲାଷ୍ଟିକ ପଲ୍ୟୁସନ’। ଅର୍ଥାତ୍ ପ୍ଲାଷ୍ଟିକ ପ୍ରଦୂଷଣକୁ କିପରି ରୋକାଯାଇ ପାରିବ ସେନେଇ ସଚେତନତା ଜାରି ରଖିବା।
ଭାରତରେ ଉପଭୋକ୍ତା ଆନ୍ଦୋଳନ ୧୯୬୬ ମସିହାରେ ମହାରାଷ୍ଟ୍ରରୁ ଆରମ୍ଭ ହୋଇଥିଲା। ୧୯୭୪ ମସିହାରେ ପୁଣେରେ ଉପଭୋକ୍ତା ପଞ୍ଚାୟତ ପ୍ରତିଷ୍ଠା ପରେ ଅନେକ ରାଜ୍ୟରେ ଉପଭୋକ୍ତା କଲ୍ୟାଣ ପାଇଁ ଅନୁଷ୍ଠାନ ଗଠନ କରାଯାଇଥିଲା ଏବଂ ଏହି ଆନ୍ଦୋଳନ ବଢିବାକୁ ଲାଗିଲା। ୯ ଡିସେମ୍ବର ୧୯୮୬ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଉଦ୍ୟମରେ ଉପଭୋକ୍ତା ସୁରକ୍ଷା ବିଲ୍ ପାରିତ ହୋଇ ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ସାରା ଦେଶରେ ଲାଗୁ ହେଲା। ଗତ ବର୍ଷ ୨୦ ଜୁଲାଇରେ ଗ୍ରାହକଙ୍କୁ ଅଧିକ ସଶକ୍ତ, ଦକ୍ଷ କରିବା ପାଇଁ ଏହି ଆଇନରେ ଏକ ସଂଶୋଧନ କରାଯାଇଛି। ଉପଭୋକ୍ତା ସୁରକ୍ଷା ଆଇନରେ କେନ୍ଦ୍ର ସରକାର ଅନେକ ବଡ଼ ପରିବର୍ତ୍ତନ କରିଛନ୍ତି। ନୂତନ ଉପଭୋକ୍ତା ନିୟମ ଲାଗୁ ହେବା ପରେ କମ୍ପାନୀ ଏବଂ କଳାକାରମାନଙ୍କ ପାଇଁ ଉତ୍ତରଦାୟିତ୍ୱ ପୂର୍ବ ଅପେକ୍ଷା ଅଧିକ ହୋଇଗଲାଣି। ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ (ଗ୍ରାହକ ସୁରକ୍ଷା ଆଇନ, ୨୦୧୯) ଅଧୀନରେ ସରକାର ଇ-ବାଣିଜ୍ୟ କମ୍ପାନୀଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି।