ବିରାଟ ଜନ ଆନ୍ଦୋଳନର ରୂପ ନେବ ଶ୍ରୀମନ୍ଦିର ନିଧି ସଂଗ୍ରହ ଅଭିଯାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ବିରାଟ ଜନ ଆନ୍ଦୋଳନର ରୂପ ନେବ ଶ୍ରୀମନ୍ଦିରର ବିକାଶ ପାଇଁ ସମର୍ପଣ ନିଧି ସଂଗ୍ରହ ଅଭିଯାନ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦିଗଦର୍ଶନରେ ସମର୍ପଣ ନିଧି ସଂଗ୍ରହ ଅଭିଯାନ କାର୍ଯ୍ୟ ତ୍ୱରାନ୍ୱିତ ହେବ। ଏଥିରେ ସମଗ୍ର ହିନ୍ଦୁ ସମାଜ ବିଶେଷ ଭାବରେ ସାଢ଼େ ୪ କୋଟି ଓଡିଆଙ୍କ ଶ୍ରମ ଓ ଆର୍ଥିକ ଯୋଗଦାନ ନିମନ୍ତେ ରବିବାର ବିଚାର ବିମର୍ଷ ହୋଇଛି। ଏନେଇ ରବିବାର ବିଶ୍ୱ ଓଡିଆ ସମୁଦାୟଙ୍କ ସହ ଭିଡିଓ କନଫରେନ୍ସି ଯୋଗେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଆଲୋଚନାରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସାମିଲ ହୋଇଥିଲେ।

ଶ୍ରୀମନ୍ଦିର ବିକାଶ ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଦିଗରେ ହୋଇଥିଲା ଆଲୋଚନା। ଭିସି ମାଧ୍ୟମରେ ଯୋଡି ହୋଇଥିଲେ ୩୫ରୁ ଊର୍ଦ୍ଧ୍ୱ ଦେଶରେ ରହୁଥିବା ଓଡିଶା ସମାଜର ଲୋକ। ଏକବିଂଶ ଶତାବ୍ଦୀରେ ୮୦୦ ବର୍ଷର ପୁରୁଣା ପୁରୀ ଶ୍ରୀମନ୍ଦିର ଉନ୍ନତି ପାଇଁ ଉଦ୍ୟମ କରାଯିବା ଏକ ପ୍ରଶଂସନୀୟ କାର୍ଯ୍ୟ। ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ଭାରତ ସରକାର ସହଯୋଗୀ ହୋଇଛନ୍ତି। ସମଗ୍ର ହିନ୍ଦୁ ସମାଜ ତଥା ବିଶ୍ୱରେ ରହୁଥିବା ସମସ୍ତ ଓଡିଆ ଶ୍ରୀମନ୍ଦିର ଓ ପରମ୍ପରାକୁ ଅଧିକ ହଜାର ହଜାର ବର୍ଷ ସୁରକ୍ଷିତ ରଖିବା ପାଇଁ ଉଦ୍ୟମ କରିବା ଦରକାର ବୋଲି ଗଜପତି ମହାରାଜ କହିଛନ୍ତି। ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ଅଭିଯାନକୁ ଜନଆନ୍ଦୋଳନ ରୂପ ଦେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଜପତି ମହାରାଜାଙ୍କ ମାର୍ଗଦର୍ଶନରେ ଗରିବ ଲୋକମାନେ ଶ୍ରୀମନ୍ଦିରର ବିକାଶ ପାଇଁ ଶ୍ରମଦାନ କରିବେ। ଆର୍ଥିକ ସମ୍ପନ୍ନ ଲୋକମାନେ ଶ୍ରୀମନ୍ଦିର ବିକାଶ ପାଇଁ ଆର୍ଥିକ ସହଯୋଗ କରିବା ପାଇଁ ଆଲୋଚନା କରାଯାଇଛି। ଏହାସହ ପୁରୀ ଶ୍ରୀମନ୍ଦିରରେ ସ୍ୱଚ୍ଛତାକୁ ମହତ୍ତ୍ୱ ଦେବା ପାଇଁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ଆମେରିକା, ସ୍ୱିଡ଼େନ୍, ଜାପାନ, ମିଆଁମାର, ଚୀନ, ସାଉଥକୋରିଆ, କେନିଆ, ତୁର୍କି, ସାଉଦି ଆରବ, ବାହରିନ, ମୋରେସିଅସ, ଅଷ୍ଟ୍ରେଲିଆ, କୁଏତ, ସିଙ୍ଗାପୁର, ମାଲେସିଆ, ଇଂଲଣ୍ଡ, ଆୟରଲ୍ୟାଣ୍ଡ, ନାଇଜେରିଆ, ଋଷ, କାନାଡ଼ା, ଜର୍ମାନୀ, ନାଇଜେରିଆ, ପର୍ତ୍ତୁଗାଲ, ବେଲଜିୟମ, ନେଦରଲ୍ୟାଣ୍ଡ, ଇଣ୍ଡୋନେସିଆ, ଭିଏତନାମ ଏବଂ ଥାଇଲ୍ୟାଣ୍ଡରେ ରହୁଥିବା ଓଡିଆ ସମ୍ପ୍ରଦାୟ ଭିସିରେ ଯୋଡିହୋଇ ଆଲୋଚନାରେ ଭାଗ ନେଇଥିଲେ। ବାହାରିନ ଓଡିଆ ସମାଜ ପ୍ରତିଷ୍ଠାତା ଅରୁଣ କୁମାର ପ୍ରହରାଜ ଭିସି ଜରିଆରେ ସାମିଲ ହୋଇ ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗୀ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।