ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ ପାଇଁ ବିଜେପିର ଦାବି

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି। ରବିବାର ଏନେଇ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୋଲକାତାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ଜଣାଇଛନ୍ତି।

ମମତା ପ୍ରଥମେ ଏହାକୁ ଆକ୍ରମଣ କହିଥିଲେ। ପରେ ଦୁର୍ଘଟଣା ବୋଲି କହୁଛନ୍ତି। ତେଣୁ ତାଙ୍କର ରିପୋର୍ଟକୁ ସାର୍ବଜନୀନ କରିବାକୁ ବିଜେପି ଦାବି କରିଛି। ଏହା ସହ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ କମିଶନକୁ ଏନେଇ ଏକ ଚିଠି ମଧ୍ୟ ଦେଇଛନ୍ତି। ଏଥିରେ ଏହି ଘଟଣା ପାଇଁ ଟିଏମସି ବିଜେପିକୁ ଦୋଷ ଦେଉଥିବାରୁ ଏହା ନିର୍ବାଚନ ଆଚରଣବିଧି ଉଲ୍ଲଘଂନ କରୁଥିବା ଦର୍ଶାଇଛି ବିଜେପି। ପ୍ରକୃତ ସତ୍ୟ କ’ଣ ତାହା ଲୋକଲୋଚନକୁ ଆସିବା ଦରକାର ବୋଲି ବିଜେପି କହିଛି।

ମାର୍ଚ୍ଚ ୧୦ ତାରିଖରେ ମମତା ବାନାର୍ଜୀ ନନ୍ଦିଗ୍ରାମରୁ ପ୍ରାର୍ଥୀପତ୍ର ଦାଖଲ କରି ସାରିବା ପରେ ଏକ ରାଲି କରିଥିଲେ। ଏହି ସମୟରେ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଏଥିରେ ତାଙ୍କ ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏଥିପାଇଁ ସେ ଓ ତାଙ୍କ ଦଳ ବିଜେପିକୁ ଦୋଷାରୋପ କରିଥିଲେ। ମାର୍ଚ୍ଚ ୧୨ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ପୁଣି ପ୍ରଚାର ମୈଦାନକୁ ଫେରିଛନ୍ତି। ସୂଚନାଥାଉକି, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ ତାରିଖରୁ ହେବାକୁ ଯାଉଛି। ୮ମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାବେଳେ ମେ ୨ ତାରିଖରେ ଗଣତି ହେବ।