ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ହାତୀବାଡି ଗ୍ରାମ ନିକଟରେ ବାଇକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ହୋଇ ଝରିଗାଁ ମେଡ଼ିକାଲ ଭର୍ତ୍ତି ହୋଇଛନ୍ତି।
ସୂଚନା ଅନୁଯାୟୀ, ଝରିଗାଁ ବ୍ଲକ୍ ସଦରରେ ଥିବା ତାଳିଆମ୍ବା ସାହିର ବୃନ୍ଦାବନ ମାଝୀ(୫୦) ଏବଂ ସ୍ତ୍ରୀ ହୀରାମଣି ମାଝୀ ଗତ ଶିବରାତ୍ରି ଦିନ ରାଇଘର ବ୍ଳକର କଲମଡ଼ଙ୍ଗରୀ ଶିବ ମନ୍ଦିରକୁ ଯାଇଥିଲେ। ସେଠାରେ ୨ ଦିନ ରହିବା ପରେ ଆଜି ସାଇକଲରେ ନିଜ ଘରକୁ ଫେରୁଥିଲେ। ବାଟରେ ହାତୀବାଡି ଗ୍ରାମ ନିକଟରେ ବିଶ୍ରାମ ନେବା ପାଇଁ ରାସ୍ତା କଡ଼ରେ ବସିଥିଲେ। ହାତିବାଡି ଗ୍ରାମର ହେମନ୍ତ ଗୌଡ଼(୨୨) ଝରିଗାଁ ସାପ୍ତାହିକ ହାଟ ସାରି ହାତୀବାଡି ଗ୍ରାମକୁ ଯାଉଥିବାବେଳେ ରାସ୍ତାକଡରେ ବସିଥିବା ବୃନ୍ଦାବନ ମାଝୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃନ୍ଦାବନର ମୃତ୍ୟୁ ହୋଇଥିଲା।
ସେହିପରି ବାଇକ ଆରୋହୀ ମଧ୍ୟ ରାସ୍ତା କଡକୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ପରେ ସ୍ଥାନୀୟ ଲୋକ ହେମନ୍ତଙ୍କୁ ଅଟୋ ଯୋଗେ ଝରିଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଝରିଗାଁ ମେଡ଼ିକାଲରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷେ ଝରିଗାଁ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତ ବୃନ୍ଦାବନକୁ ଝରିଗାଁ ମେଡ଼ିକାଲ ପଠାଇଥିଲା। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।