ଚଣ୍ଡୀଗଡ଼: ହରିୟାଣାର ଖଟ୍ଟର ସରକାର ଅବିଶ୍ୱାସ ପ୍ରସ୍ତାବ ଉପରେ ହୋଇଥିବା ଭୋଟିଂରେ ବିଜୟୀ ହୋଇଛି। ଏଥିରେ ୫୫ଟି ଭୋଟ ପାଇ ଖଟ୍ଟର ସରକାର ଆସ୍ଥାଭାଜନ କରିଥିବାବେଳେ ବିପକ୍ଷକୁ ୩୨ଟି ଭୋଟ ମିଳିଛି। ଖାସ୍ କଥାଟି ହେଲା ହରିୟାଣା ବିଧାନସଭାରେ ୩୦ଜଣ କଂଗ୍ରେସ ବିଧାୟକ ରହିଛନ୍ତି।
ଭୋଟିଂ ପୂର୍ବରୁ ଅବିଶ୍ୱାସ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଥିଲେ ଯେ, ଏହି ପ୍ରସ୍ତାବ ଆଣିଥିବାରୁ କଂଗ୍ରେସକୁ ଧନ୍ୟବାଦ। କଂଗ୍ରେସର ମୃଗତୃଷ୍ଣା କେବେ ବି ଶେଷ ହେବନାହିଁ। ‘ନୋ କନଫିଡେନ୍ସ’ କଂଗ୍ରେସର ସଂସ୍କୃତି। ନିର୍ବାଚନରେ ପାର୍ଟି ହାରିଲେ ତାକୁ ଇଭିଏମ୍ ଉପରେ ବିଶ୍ୱାସ ହୁଏନାହିଁ। ଯଦି କଂଗ୍ରେସ ଶାସନରେ ଅଛି ତ ସବୁ ଠିକ୍ ନହେଲେ ସବୁ ଭୁଲ୍।