ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମୋଦୀ ମହିଳା ସ୍ୱୟଂସେବକ ସଂଗଠନରୁ ଅନେକ ଜିନିଷ କିଣି ଏହି ଦିନକୁ ଖାସ୍ ବନାଇଥିବା ଜଣାପଡ଼ିଛି। ସେ ନିଜେ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି।
ମୋଦୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆପଣମାନେ ମୋତେ ବହୁବାର ଆସାମର ଗାମୁଛା ପିନ୍ଧିଥିବାର ଦେଖିଛନ୍ତି। ଏହା ଖୁବ୍ ଆରାମଦାୟକ। ଆଜି ମୁଁ କାକାତିପିପୁଙ୍ଗ ବିକାଶ ଖଣ୍ଡର ବିଭିନ୍ନ ସ୍ୱୟଂ ସହାୟକ ସମୂହ ପ୍ରସ୍ତୁତ କରିଥିବା ‘ଗାମୁଛା’ କିଣିଛି।
ଖାସ୍ କଥାଟି ହେଲା, ପିଏମ୍ ମୋଦୀ ସେସବୁ ଉତ୍ପାଦର ବିଶେଷତା ସମ୍ବନ୍ଧରେ ବିସ୍ତାରରେ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ବଙ୍ଗଳାରେ ଝୋଟରୁ ପ୍ରସ୍ତୁତ ହୋଇଥିବା ଫାଇଲ ଫୋଲ୍ଡର, ଗାମୁଛା, ତାମିଲନାଡ଼ୁର ଟୋଡା ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସାଲ୍, ନାଗାଲାଣ୍ଡର ପ୍ରସିଦ୍ଧ ସାଲ୍ ଓ ମଧୁବନୀ ପେଣ୍ଟିଂଯୁକ୍ତ ସାଲ୍ ଭଳି ଉତ୍ପାଦ ସାମିଲ ରହିଛି।