କର୍ମଜୀବୀ ମହିଳା ନିବାସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲା କାପୁମାଲଠାରେ ନିର୍ମିତ ହୋଇଥିବା କର୍ମଜୀବୀ ମହିଳା ନିବାସକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ୧୦୦ ଶଯ୍ୟା ବିଶିଷ୍ଟ ଏହି କର୍ମଜୀବୀ ମହିଳା ନିବାସଟି ୧ ଏକର ଜାଗାରେ ପ୍ରାୟ ୩.୮୬ କୋଟି ଟଙ୍କା ବିନିମୟରେ ନିର୍ମାଣ କରାଯାଇଛି। ଆଜିର ପ୍ରଗତିଶୀଳ ସମାଜରେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଘରୁ ଗୋଡ଼ କାଢ଼ି ବିଭିନ୍ନ ସ୍ଥାନରେ ଚାକିରି କରୁଛନ୍ତି। ହେଲେ ଅନେକ ସ୍ଥାନରେ ଏହି କର୍ମମୟୀ ମହିଳା ଅବା ଯୁବତୀଙ୍କୁ ରହିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ମହିଳାଙ୍କ ରହିବା ସମସ୍ୟାକୁ ଦୂର କରି ଏକ ଉତ୍ତମ ବାସସ୍ଥାନ ପ୍ରଦାନ କରିବା ପାଇଁ ସରକାରଙ୍କ ପକ୍ଷରୁ କର୍ମଜୀବୀ ମହିଳା ନିବାସ ନିର୍ମାଣ କରାଯାଇଛି। ଏଠାରେ ନିରାପଦ ଭାବରେ କର୍ମଜୀବୀ ମହିଳାମାନେ ରହିପାରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି, ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସ ଓ ଅତିରିକ୍ତ ଜିଲ୍ଲାପାଳ ଲିଲି କୁଲ୍ଲୁ ପ୍ରମୁଖ ଉପସ୍ଥିତ ଥିଲେ।