ନିଆଁ କବଳରେ ଦେବଗଡ଼ ଜିଲ୍ଲାର ଜଙ୍ଗଲ

ଦେବଗଡ଼, ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ଥିବା ଦେବଗଡ଼ ବନଖଣ୍ଡ ଅଧୀନସ୍ଥ ବିଭିନ୍ନ ରେଞ୍ଜରେ ଥିବା ପ୍ରାୟ ସମସ୍ତ ଜଙ୍ଗଲରେ ଗତ କିଛି ଦିନ ଧରି ନିଆଁ ଲାଗି ରହିଥିବାରୁ ଏହାର ପ୍ରଭାବରେ ଜିଲ୍ଲା ସାରା ଧୂଆଁଳିଆ ପରିବେଶ ସୃଷ୍ଟି ହେବାସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି। ରାତିରେ ଜଙ୍ଗଲ ନିଆଁ ଓ ଦିନବେଳେ ଧୂଅାଁ ରହୁଛି। ଆଗାମୀ ଦିନ ପାଇଁ ଏହା ବିପଦ ସଂକେତ ବୋଲି ବହୁ ପ୍ରକୃତି ପ୍ରେମୀ ମତ ବ୍ୟକ୍ତ କରିଛନ୍ତି।

ସୂଚନା ଅନୁଯାୟୀ, ୪ ହଜାର ୧୦୬ ବର୍ଗ କିମି ଭୌଗଳିକ କ୍ଷେତ୍ର ବିଶିଷ୍ଠ ଦେବଗଡ଼ ବନ ଖଣ୍ଡର ୫୪% ଅର୍ଥାତ ୨୨୧୭.୨୪ ବର୍ଗ କି.ମି ଜଙ୍ଗଲ ରହିଥିବା ବେଳେ ଚଳିତବର୍ଷ ବିଗତ ବର୍ଷ ଗୁଡିକ ତୁଳନାରେ ୩ ଗୁଣ ଅଧିକ ଜଙ୍ଗଲ ନିଆଁ ଲାଗିଥିବା ଜଣାପଡିଛିା ସେଟଲାଇଟ ଚିତ୍ର ମାଧ୍ୟମରେ ଆଜି ୪୯୭ ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଥିବା ଜଣାପଡିଛି। ତେବେ ଅଧିକାଂଶ ଜଙ୍ଗଲ ନିଆଁ ମନୁଷ୍ୟ କୃତ ବୋଲି ବନ ବିଭାଗ ସ୍ୱୀକାର କରିଛି। ତେବେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ସମଗ୍ର ବନ ଖଣ୍ଡ ଅଞ୍ଚଳରେ ସରକାରୀ ଭାବେ ୮୦ ଜଣ କର୍ମଚାରୀ ନିୟୋଜିତ ରହିଥିବାବେଳେ ଏହା ଜଙ୍ଗଲ ଅଞ୍ଚଳ ତୁଳନାରେ ନଗନ୍ୟ । ତେବେ ଜଙ୍ଗଲ ନିଆଁକୁ ଆୟତ କରିବା ପାଇଁ ବନ ବିଭାଗ ପକ୍ଷରୁ ଦୈନିକ ମଜୁରୀ ଭିତିରେ ଆବଶ୍ୟକତା ଅନୁଯାୟୀ ଲୋକଙ୍କୁ ନିୟୋଜିତ କରାଯାଉଥିବା ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ କହିଛନ୍ତି। ଅନ୍ୟପକ୍ଷରେ ଜନସାଧାରଣଙ୍କୁ ସଚେତନ ପାଇଁ ବହୁ ପ୍ରୟାସ କରାଯାଉଥିଲେ ମଧ୍ୟ ଜନସାଧାରଣ ବନ ବିଭାଗ କୁ ସହଯୋଗ କରୁ ନଥିବା ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି। ଜିଲ୍ଲାରେ ପ୍ରଥମଥର ପାଇଁ ଏତେ ମାତ୍ରାରେ ଜଙ୍ଗଲ ନିଆଁ ଲାଗିବାକୁ ଲକ୍ଷ୍ୟକରି ବରିଷ୍ଠ ନାଗରିକ ହେମନ୍ତ ମହାପାତ୍ର ଦେବଗଡ଼ ଜିଲ୍ଲାରେ ଜଙ୍ଗଲ ସୃଷ୍ଟିର ଇତିହାସକୁ ମନେପକାଇବା ସହ ଜଙ୍ଗଲ ନିଆଁ ରୋକିବା ପାଇଁ ବନ ବିଭାଗ ବିଫଳ ରହିଥିବା କହିଛନ୍ତି। ସେହିପରି ଦେବଗଡ଼ ଜିଲ୍ଲାର ଉମା ଶଙ୍କର ସାହୁ ଚଳିତ ବର୍ଷ ଜଙ୍ଗଲ ନିଆଁକୁ ନେଇ ଉଦବେଗ ପ୍ରକାଶ କରିବା ସହ ଜଙ୍ଗଲ ନିଆଁ ଯୋଗୁଁ ଆଖି ପୋଡୁଥିବା ଏବଂ ଧୂଆଁ କାରଣ ରୁ ଶ୍ୱାସ ରୋଗୀମାନେ ଅଣନିଶ୍ୱାସୀ ହୋଇପଡୁଥିବା କହିଛନ୍ତି। ଜଙ୍ଗଲ ବିଭାଗ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଅଧିକରୁ ଅଧିକ ପ୍ରୟାସ କରିବାକୁ ଅନୁରୋଧ କରିବା ସହ ଜିଲ୍ଲାରେ ଥିବା ବିଭିନ୍ନ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କୁ ଜଙ୍ଗଲ ନିଆଁ ଲିଭାରେ ସହଯୋଗ ପାଇଁ ନିବେଦନ କରିଛନ୍ତି।