ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ରେଳ ଷ୍ଟେସନର ଉନ୍ନତୀକରଣ କରିବା ସହ ୭୦ ହଜାର ବର୍ଗ ମିଟରରେ ଏହାକୁ ଶୀଘ୍ର ଅତ୍ୟାଧୁନିକ ରେଳ ଷ୍ଟେସନରେ ପରିଣତ କରାଯିବ। ପ୍ରାୟ ୭୦ରୁ ୮୦ କୋଟି ଟଙ୍କା ବ୍ୟୟରେ ୨ ବର୍ଷ ମଧ୍ୟରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ଝାରସୁଗୁଡ଼ା ରେଳ ଷ୍ଟେସନରେ ଉପଲବ୍ଧ କରାଯିବ ବୋଲି ଚକ୍ରଧରପୁର ରେଳ ଡିଭିଜନର ଡିଆରଏମ ବିଜୟ ସାହୁ କହିଛନ୍ତି। ସେହିପରି ଝାରସୁଗୁଡ଼ାର ସରବହାଲ, ଚୌକିପଡ଼ା ଓ ଘନଶ୍ୟାମ ହେମଲତା ବିଦ୍ୟାଳୟ ନିକଟରେ ୩ଟି ରେଳ ଓଭରବ୍ରିଜ ନିର୍ମାଣ କରାଯିବ। ଏହି ସମସ୍ତ କାମର ଆଲୋଚନା ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ା ସର୍କିଟ ହାଉସଠାରେ ରେଳ ବିଭାଗକୁ ନେଇ ଏକ ଉଚ୍ଚସ୍ତ୍ରରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବରଗଡ଼ ସଂସାଦ ସୁରେଶ ପୂଜାରୀ, ଚକ୍ରଧରପୁର ରେଳ ଡିଭିଜନର ଜେନେରାଲ ମ୍ୟାନେଜର ବିଜୟ ସାହୁ, ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଆରକ୍ଷୀ ଅଧିକାରୀ ବିକାଶ ଚନ୍ଦ୍ର ଦାସଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ରେଳଷ୍ଟେସନର ଉନ୍ନତି, ରେଳବାଇ କଲୋନୀ ଓ ଗୁଡ୍ସ ୟାର୍ଡର ଉନ୍ନତିକରଣ, ରେଳବାଇର ଜମିରେ ଥିବା ପୁରୁଣା ବସଷ୍ଟାଣ୍ଡର ଲିଜ ନବୀକରଣ ଓ ଶୁକ୍ରବଜାରଠାରୁ ସରବହାଲ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା ଝାରସୁଗଡ଼ାବାସୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ଏବି ବୈଠକ କରାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି।
ପ୍ରକାଶଯୋଗ୍ୟ, ସରବାହାଲରେ ରେଳ ଓଭରବ୍ରିଜ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାବେଳେ ଚୌକିପଡ଼ା ଆରଓବି ପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସେହିପରି ଶୀଘ୍ର ଘନଶ୍ୟାମ ହେମଲତା ବିଦ୍ୟାଳୟ ନିକଟରେ ମଧ୍ୟ ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।