ଆରମ୍ଭ ହେଲା ବରିଷ୍ଠ ନାଗରିକଙ୍କ ଟିକାକରଣ କାର୍ଯ୍ୟକ୍ରମ

ଦେବଗଡ଼,ଏନ୍ଏନ୍ଏସ୍: ସାରା ଦେଶରେ ଆଜିଠୁ ବରିଷ୍ଠ ନାଗରିକଙ୍କ ଲାଗି ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଦେବଗଡ଼ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆଜି ପୂର୍ବାହ୍ନରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ୱତନ୍ତ୍ର କକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋଜ କୁମାର ଉପାଧ୍ୟାୟ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଜିଲ୍ଲା ପରିଚାଳକ ଉମେଶ ପ୍ରସାଦ ଷଢ଼ଙ୍ଗୀ ଓ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳିକା ଜ୍ୟୋତ୍ସ୍ନା ରାଣୀ ଶର୍ମାଙ୍କ ଉପସ୍ଥିତିରେ ପ୍ରଥମ ଟିକା ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା। ଟୀକାକରଣର ପ୍ରଥମ ଦିନରେ ଦେବଗଡ଼ ପୌରାଚଂଳର ୫ଟି ୱାର୍ଡରୁ ୨୫ଜଣ ଲେଖାଏଁ ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରାଯାଇ ଟିକା ପ୍ରଦାନ କରାଯାଇଛି। ଅନ୍ୟପଟେ ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ଜିଲ୍ଲାର ସମସ୍ତ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଉପାଧ୍ୟାୟ ପ୍ରକାଶ କରିଛନ୍ତି।