ବିଧାନସଭା ନିର୍ବାଚନ: ୪ଟି ରାଜ୍ୟରେ ମେ’ ୨ରେ ଫଳାଫଳ

ନୂଆଦିଲ୍ଲୀ: କରୋନା ସମୟରେ ପ୍ରଥମଥର ପାଇଁ ଏକାସହ ୪ଟି ରାଜ୍ୟ ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋଡା ସୂଚନା ପ୍ରଦାନ କରିଛନ୍ତି।

ସୁନୀଲ ଅରୋଡ଼ା କହିଛନ୍ତି ଯେ, ନିର୍ବାଚନ ସମୟରେ କରୋନା ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ୫ଟି ରାଜ୍ୟରୁ ଏଥର ୧୮ କୋଟି ମତଦାତା ନିଜର ମତାମତ ସାବ୍ୟସ୍ତ କରିବେ। ଆସାମରେ ୩ଟି ଚରଣରେ ମତଦାନ ହେବ। ପ୍ରଥମ ଚରଣ ୨୭ ମାର୍ଚ୍ଚ, ଦ୍ୱିତୀୟ ଏପ୍ରିଲ ୧ ଓ ତୃତୀୟ ଏପ୍ରିଲ ୬ରେ ହେବ। ଆଉ ଏହାର ଫଳାଫଳ ମେ’୨ରେ ଆସିବ। କେରଳ ଓ ତାମିଲନାଡ଼ୁରେ ଗୋଟିଏ ଚରଣରେ ଏପ୍ରିଲ ୬ରେ ଭୋଟିଂ ହେବ ଏବଂ ମେ’ ୨ରେ ଫଳାଫଳ ବାହାରିବ। ପୁଡ଼ୁଚେରୀରେ ଗୋଟିଏ ଚରଣରେ ଏପ୍ରିଲ ୬ରେ ଭୋଟିଂ ହେବ। ପଶ୍ଚିମବଙ୍ଗରେ ୮ଟି ଚରଣରେ ନିର୍ବାଚନ ହେବ। ପ୍ରଥମ ମାର୍ଚ୍ଚ ୨୭, ଦ୍ୱିତୀୟ ଏପ୍ରିଲ ୧, ତୃତୀୟ ଏପ୍ରିଲ ୬, ଚତୁର୍ଥ ଏପ୍ରିଲ ୧୦ ଓ ପଞ୍ଚମ ଏପ୍ରିଲ ୧୭, ଷଷ୍ଠ ଏପ୍ରିଲ ୨୨, ସପ୍ତମ ଏପ୍ରିଲ ୨୭ ଓ ଅଷ୍ଟମ ଚରଣ ମତଦାନ ଏପ୍ରିଲ ୨୯ରେ ହେବ।

ଏହି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୮୨୪ ବିଧାନସଭା ସିଟରେ ଭୋଟିଂ ହେବ। ଏଥର ନିର୍ବାଚନ ଲାଗି ତାମିଲନାଡ଼ୁରେ ୬୬ ହଜାର, ପଶ୍ଚିମବଙ୍ଗରେ ୧ଲକ୍ଷ ୧ ହଜାର ୯୧୬, କେରଳରେ ୪୦ ହଜାର ୭୭୧, ଆସାମରେ ୩୩ ହଜାର ୫୩୦, ତାମିଲନାଡ଼ୁରେ ୮୮ ହଜାର ୯୩୬ ନିର୍ବାଚନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ ସ୍ୱତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ବୋଲି ଶ୍ରୀ ଅରୋଡ଼ା କହିଛନ୍ତି।