କୋରାପୁଟ,ଏନ୍ଏନ୍ଏସ୍: ପେଟ୍ରୋଲ୍, ଡିଜେଲ୍, ଗ୍ୟାସ ଦର ବୃଦ୍ଧି ଏବଂ ଜିଏସଟି ସରଳୀକରଣ ଦାବିରେ ଭାରତୀୟ ବ୍ୟବସାୟୀ ସଂଘ ଡାକରା ଦେଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ କୋରାପୁଟ ଜିଲ୍ଲାରେ ସମ୍ପୂର୍ଣ ସଫଳ ହୋଇଛି। ବନ୍ଦ ପ୍ରଭାବରେ ସମଗ୍ର ଜିଲ୍ଲାରେ ଦୋକାନ ବଜାର, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ଘରୋଇ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ତେବେ ସରକାରୀ ଅଫିସ୍ ଓ ବ୍ୟାଙ୍କଗୁଡ଼ିକ ସ୍ୱାଭାବିକ ଭାବେ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଭୁଲ ନୀତି ଯୋଗୁ ଦରଦାମ ନିୟନ୍ତ୍ରଣ ହୋଇ ପାରୁନଥିବାବେଳେ ଜିଏସଟି ନୀତିରେ ବାରମ୍ବାର ପରିବର୍ତ୍ତନ ହେତୁ ବ୍ୟବସାୟୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛି।
