ଇବ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଇବ ନଦୀରେ ଭାସୁଥିବା ଜଣେ ଯୁବକଙ୍କ ମୃତଦେହ ଆଜି ବ୍ରଜରାଜନଗ ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଇଟାଭାଟି ଗ୍ରାମର ମୋହନ ଗୋଖରା(୨୮) ବୋଲି ଜଣାପଡିଛି। ପୁଲିସ ମୋହନଙ୍କ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବ୍ରଜରାଜନଗର ଥାନା ଅଧିକାରୀ ଲଳିତା ମୋଦୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ମୋହନ ଆଜି ସକାଳେ ଇବ ନଦୀକୁ ଶୌଚ ପାଇଁ ଆସି ଆଉ ଘରକୁ ଫେରି ନଥିଲେ। ତେବେ ଅପରାହ୍ଣ ସମୟରେ ତାଙ୍କର ମୃତଦେହ ଓପିଏମ ଘାଟ ନିକଟରେ ଭାସୁଥିବା ସ୍ଥାନୀୟଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ବ୍ରଜରାଜନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୋହନଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୋହନ ପୂର୍ବରୁ ମିର୍ଗି ରୋଗରେ ପିଡିତ ଥିବାରୁ ସେ ଶୌଚ ସମୟରେ ସଂଜ୍ଞା ହରାଇ ନଦୀରେ ଖସି ପଡିଥିବା ପୁଲିସ ସନ୍ଦେହ କରୁଛି। ଅନ୍ୟପଟେ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।