ମେ’ ୧୮ରୁ +୨ ପରୀକ୍ଷା : ସକାଳ ୯ଟା ୧୫ରୁ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୧ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ ପରୀକ୍ଷା ଆସନ୍ତା ମେ’୧୮ ତାରିଖରୁ ଆରମ୍ଭ ହେବ। ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ମେ’ ୨୮ରୁ ଆରମ୍ଭ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଏଥର ଯୁକ୍ତଦୁଇ ବିଜ୍ଞାନ ଷ୍ଟ୍ରିମ୍ ପରୀକ୍ଷା ଇଂରାଜୀ ବିଷୟରୁ ଆରମ୍ଭ ନ ହୋଇ ପଦାର୍ଥ ବିଜ୍ଞାନରୁ ଆରମ୍ଭ ହେବ। କାରଣ ଅଲଗା ଏଣ୍ଟ୍ରାନ୍ସ ବା ସେଣ୍ଟ୍ରାଲ ପ୍ରବେଶିକା ପରୀକ୍ଷାର ତାରିଖକୁ ଦେଖି ଏଥର ଏପରି ନିଷ୍ପତ୍ତି ନିଆଯାଇଛି। ଏହାବ୍ୟତୀତ ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ୱ ଦେଇ ବିଜ୍ଞାନ ବିଭାଗର ପରୀକ୍ଷାକୁ ଶୀଘ୍ର ଶେଷ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସମସ୍ତ ଥିଓରୀ ପରୀକ୍ଷା ସକାଳ ୯ଟା ୧୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା କେନ୍ଦ୍ରରେ ସକାଳ ୮ଟା୧୫ ସୁଦ୍ଧା ପରୀକ୍ଷାର୍ଥୀମାନେ ପହଞ୍ଚିବେ। ୮ଟା ୩୦ରୁ ପରୀକ୍ଷା କେନ୍ଦ୍ରକୁ ପିଲାଙ୍କୁ ପ୍ରବେଶ କରିବାକୁ ଅନୁମତି ମିଳିବ। ୮ଟା ୪୫ ସୁଦ୍ଧା ପରୀକ୍ଷାର୍ଥୀମାନେ ନିଜ ସିଟରେ ବସିବାକୁ ନିର୍ଦ୍ଦେଶ ଦିଆଯାଇଛି। ୮ଟା ୪୫ରେ ଉତ୍ତରଖାତା ପ୍ରଦାନ କରାଯିବ। ସକାଳ ୯ଟାରେ ପ୍ରଶ୍ନପତ୍ର ବଣ୍ଟାଯିବା ସହ ୯ଟା୧୫ପର୍ଯ୍ୟନ୍ତ ପଶ୍ନପତ୍ର ପଢ଼ିବାକୁ ସୁଯୋଗ ଦିଆଯିବ। ୯ଟା୧୫ରୁ ପରୀକ୍ଷା ଆରମ୍ଭ ହେବ।
ସେହିପରି ସବୁ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୮ତାରିଖ ପର୍ଯ୍ୟନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଲେଜ କର୍ତ୍ତୃପକ୍ଷ ନିଜ ସୁବିଧା ଅନୁସାରେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ସାରିବାକୁ +୨ ପରିଷଦ ପକ୍ଷରୁ କୁହାଯାଇଛି। ତେବେ ୬୦ମାର୍କ ଏବଂ ୩୦ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ପରୀକ୍ଷାର ସମୟ ୩ଘଣ୍ଟା ଏବଂ ୧୫ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ସମୟ ୨ଘଣ୍ଟା ଧାର୍ଯ୍ୟ କରାଯାଇଛି। ପାକ୍ଟିକାଲ ପରୀକ୍ଷା ଶେଷ କରିବା ପରେ କଲେଜ କର୍ତ୍ତୃପକ୍ଷ ୭ଦିନ ମଧ୍ୟରେ +୨ପରିଷଦରେ ଉତ୍ତରଖାତା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ ଉଭୟ ପ୍ରାକ୍ଟିକାଲ ଏବଂ ଥିଓରୀ ପ୍ରଶ୍ନପତ୍ରରେ ପ୍ରଥମ ଥର ଲାଗି ବାରକୋର୍ଡ ବ୍ୟବସ୍ଥା କରାଯିବ। ବାରକୋର୍ଡ ମାଧ୍ୟମରେ ପ୍ରଶ୍ନପତ୍ର କେଉଁ ଜିଲ୍ଲାର କେଉଁ କଲେଜକୁ ପଠାଯାଇଛି ତାହା ଜଣାପଡ଼ିବ। ଗତ କିଛି ବର୍ଷ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଚିନ୍ତା ବଢ଼ାଇଥିବା ବେଳେ ଏହି ବ୍ୟବସ୍ଥା ଦ୍ୱାରା ପ୍ରଶ୍ନପତ୍ର ଲିକ୍ ହେଲେ ତାହା କେଉଁ କଲେଜରୁ ଭାଇରାଲ ହେଲା ତାହା ଜଣାପଡ଼ିବ। ଏପରିକି ସମ୍ପୃକ୍ତ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରର କେଉଁ କ୍ଲାସରୁମରେ କେଉଁ ପରୀକ୍ଷାର୍ଥୀକୁ ଦିଆଯାଇଥିଲା ତାହା ମଧ୍ୟ ଜଣାପଡ଼ିବ। ଫଳରେ ପ୍ରଶ୍ନପତ୍ର ଭାଇରାଲରେ ରୋକ୍ ଲଗାଇବାରେ ଏହି ବ୍ୟବସ୍ଥା ସର୍ବାଧିକ ସହାୟକ ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି। ଚଳିତବର୍ଷ ପ୍ରାୟ ସାଢ଼େତିନି ଲକ୍ଷ ପରୀକ୍ଷାର୍ôଥ ପରୀକ୍ଷା ଦେବେ। ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବା ଲାଗି ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରକି କପି ରୋକିବା ଏବଂ ପ୍ରଶ୍ନପତ୍ର ଚୋରି ସମେତ ପରୀକ୍ଷା ଚାଲିଥିବା ସମୟରେ ଭାଇରାଲ ଯେପରି ନହେବ ସେଥିଲାଗି ମଧ୍ୟ ନଜର ଦେବାକୁ କୁହାଯାଇଛି। ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ପରୀକ୍ଷା ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଶ୍ନପତ୍ର ପ୍ୟାକେଟରେ ବି ବାରକୋର୍ଡ ରହିବ। ରାଜ୍ୟରେ ପ୍ରାୟ ୨୬୦ଟି ହବ୍ କେନ୍ଦ୍ର ହେବାର ଯୋଜନା ରହିଥିବା ବେଳେ ଏଥର ସବୁ ହବ୍ କେନ୍ଦ୍ରର ତାଲିକା କରାଯାଇ ସେହି ନମ୍ବରକୁ ବାରକୋର୍ଡ ସହ ସଂଯୋଗ କରାଯିବ। ସେହିପରି ବାରକୋର୍ଡ ସହ ପରୀକ୍ଷା କେନ୍ଦ୍ର ମଧ୍ୟ ଲିଙ୍କ୍ କରାଯିବ।

ପ୍ରଶ୍ନପତ୍ର ପ୍ୟାକେଟରେ ବାରକୋଡ ଏବଂ ସିରିଏଲ୍ ନମ୍ବର ରହିବ। ଶ୍ରେଣୀରେ ପ୍ରଶ୍ନପତ୍ର ଏବଂ ପରୀକ୍ଷାର୍ଥୀଙ୍କ ରୋଲନମ୍ବର ସଂଯୋଗ କରାଯିବ। ଫଳରେ କେଉଁ ରୋଲ୍ ନମ୍ବରକୁ କେଉଁ ପ୍ୟାକେଟର ପ୍ରଶ୍ନପତ୍ର ଦିଆଯିବ ତା’ର ସମ୍ପୂର୍ଣ୍ଣ ତଥ୍ୟ ଲିଙ୍କ୍ ମାଧ୍ୟମରେ ରଖାଯିବ। ଏଥିପାଇଁ ଏକ ଟେକ୍ନିକାଲ ଟିମ୍ ଗଣଶିକ୍ଷା ବିଭାଗ ,+୨ ପରିଷଦ କିମ୍ବା ଓକାକରେ ରହିବେ ତାହା ନିଷ୍ପତ୍ତି ହେବ। ଯଦି କୌଣସି ମୁହୂର୍ତ୍ତରେ ପ୍ରଶ୍ନପତ୍ର ଲିକ୍ ହୁଏ କିମ୍ବା ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଫଟୋଉଠାଇ ଭାଇରାଲ କରାଯାଏ ତେବେ ୧୫ ମିନିଟ୍ ମଧ୍ୟରେ ସମ୍ପୃକ୍ତ ପରୀକ୍ଷାର୍ଥୀ ବନ୍ଧା ହେବେ। ଚଳିତବର୍ଷ ପରୀକ୍ଷାରେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍ କରାଯିବ।