ଶିରିଡ଼ି ସାଇବାବା ମନ୍ଦିରର ଦର୍ଶନ ସମୟ ପରିବର୍ତ୍ତନ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରୁ ଶିରିଡ଼ିସ୍ଥିତ ସାଇବାବାଙ୍କ ମନ୍ଦିରର ଦର୍ଶନ ସମୟରେ ପରିବର୍ତ୍ତନ ହୋଇଛି। ଶିରିଡ଼ି ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ଜାରି ନୂଆ ମାର୍ଗଦର୍ଶିକା ଅନୁଯାୟୀ ଭକ୍ତମାନେ ଏବେ ଦୈନିକ ସକାଳ ୬ରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ। ଭୋର୍ ୪ଟା ୩୦ମିନିଟରେ ଅନୁଷ୍ଠିତ ହେଉଥିବା ପ୍ରାତଃ ପ୍ରାର୍ଥନା(କାକଡ଼ ଆରତି) ଏବଂ ରାତି ୧୦ଟା ୩୦ମିନିଟରେ ଶେଯ ଆରତିରେ କୌଣସି ଭକ୍ତ ଯୋଗ ଦେଇପାରିବେ ନାହିଁ। କେବଳ ସେତିକି ନୁହେଁ ଦର୍ଶକ ସଂଖ୍ୟା ଉପରେ ମଧ୍ୟ ଟ୍ରଷ୍ଟ ପକ୍ଷରୁ କଟକଣା ଲାଗୁ ହୋଇଛି। ଦୈନିକ ୧୫ ହଜାରରୁ ଅଧିକ ଭକ୍ତ ସାଇବାବାଙ୍କୁ ଦର୍ଶନ କରିପାରିବେ ନାହିଁ। ସ୍ମରଣଯୋଗ୍ୟ ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ କଡ଼ା କଟକଣା ଲାଗୁ କରିଛନ୍ତି। ଅମରାବତୀରେ ଲକ୍ଡାଉନ୍ ଲାଗୁ ହୋଇଥିଲାବେଳେ ମୁମ୍ବାଇ, ପୁନେ, ଥାନେ ଓ ନାସିକରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଛି। ଲକଡାଉନ୍ ସମୟରେ ଶିରିଡ଼ି ସାଇବାବା ମନ୍ଦିର ବନ୍ଦ ରହିଥିଲାବେଳେ ଗତବର୍ଷ ନଭେମ୍ବର ୧୬ରେ ଏହା ଭକ୍ତଙ୍କ ଲାଗି ପୁଣି ଖୋଲିଥିଲା।