କରୋନା ପ୍ରଭାବିତ ୧୦ ରାଜ୍ୟକୁ ପଠାଗଲା କେନ୍ଦ୍ରୀୟ ଟିମ୍

ନୂଆଦିଲ୍ଲୀ, ଏଜେନ୍ସି: ଦେଶର ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ କେନ୍ଦ୍ର ସରକାର ସେଠାକୁ ଉଚ୍ଚସ୍ତରୀୟ ଟିମ୍ ପଠାଇଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ତିନିଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିଗୁଡ଼ିକ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦିଗଦର୍ଶନ ଦେବା ସହ ସହଯୋଗ କରିବେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ରାଜ୍ୟଗୁଡ଼ିକୁ ଏ ସଂକ୍ରାନ୍ତରେ ପତ୍ର ଲେଖି ସଂକ୍ରମଣର ଚେନ୍ ଭାଙ୍ଗିବା ଏବଂ ଆର୍ଟି-ପିସିଆର୍ ଟେଷ୍ଟିଂ ସୁନିଶ୍ଚିତ କରିବା ଲାଗି ବିହିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି ଯେ ସେମାନେ ଅଧିକ ସଂକ୍ରମିତ ହୋଇଥିବା ଜିଲ୍ଲାଗୁଡ଼ିକରେ ଟେଷ୍ଟିଂ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତୁ ଏବଂ ସଂକ୍ରମିତ ଲୋକଙ୍କୁ ତୁରନ୍ତ ସଂଘରୋଧରେ ରଖନ୍ତୁ ବା ହସ୍ପିଟାଲରେ ଭର୍ତ୍ତି କରନ୍ତୁ। ଉଲ୍ଲେଖଯୋଗ୍ୟ ଗତ ଏକ ସପ୍ତାହରେ ୧୨ଟି ରାଜ୍ୟରେ ହାରାହାରି ଦୈନିକ ନୂଆ ସଂକ୍ରମଣ ସଂଖ୍ୟା ୧୦୦ରୁ ଅଧିକ ଥିଲା। ମହାରାଷ୍ଟ୍ର ଓ କେରଳରେ ଗତ ସପ୍ତାହରେ ଦୈନିକ ସଂକ୍ରମଣ ହାରାହାରି ୪ ହଜାର ଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ରାଜ୍ୟଗୁଡ଼ିକୁ ଆହୁରି ହେଜାଇ ଦିଆଯାଇଛି ଯେ, କେତେକ ଦେଶରେ ଏପରିକି ଭାରତରେ ରୂପାନ୍ତରିତ କରୋନା ଭୂତାଣୁର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରୋନା ପ୍ରୋଟୋକଲ୍ କଡ଼ାକଡ଼ି ଭାବେ ପାଳନ କରାଯିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି।