ପଞ୍ଜୀକୃତ ଚାଷୀଙ୍କ ଠାରୁ ଅଧିକ ଧାନ ଆସିଲେ କିଣାଯିବ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପଞ୍ଜୀକୃତ ଚାଷୀଙ୍କ ଠାରୁ ଅଧିକ ପରିମାଣ ଧାନ ଆସିଲେ ମଧ୍ୟ ତାହା କିଣାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ ପ୍ରକାଶ କରିଛନ୍ତି ।
ବୁଧବାର କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ଚଳିତ ବର୍ଷ ୧୪.୭୨ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଏମାନେ ସରକାରଙ୍କୁ ଖରିଫ ଧାନ ବିକ୍ରି କରିପାରିବେ। ଗତ ୨୩ ତାରିଖ ସୁଦ୍ଧା ୫୬.୬୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି । ରାଜ୍ୟ ସରକାର ଚଳିତବର୍ଷ ଖରିଫ୍ ଋତୁରେ ୫୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖିଛନ୍ତି।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ, ଚାଷୀମାନେ ମଣ୍ଡିକୁ ଆଣୁଥିବା ଧାନରେ କଟନି-ଛଟନି ହେଉଥିବା ବାବଦରେ ନିର୍ଦ୍ଧିଷ୍ଟ ତଥ୍ୟ ବିଭାଗର ହସ୍ତଗତ ହୋଇନାହିଁ । ମଣ୍ଡିରୁ ମିଲ୍ ପର୍ଯ୍ୟନ୍ତ ଧାନ ପରିବହନ ଲାଗି ଟେଣ୍ଡର ସମ୍ପର୍କିତ ବିଷୟ ଓଡିଶା ଯୋଗାଣ ନିଗମରେ ବିଚାରାଧିନ ଅଛି । ଏହି ସଂକ୍ରାନ୍ତରେ ଭାରତ ସରକାରଙ୍କ ଖାଦ୍ୟ ବିଭାଗର ସ୍ପଷ୍ଟି କରଣ ଯୋଡାଯାଇଛି ବୋଲି ସେ ପ୍ରକାଶ କରିଥିଲେ।