ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଠକେଇ ମାମଲାରେ ବାପ ପୁଅ ଗିରଫ

ଅନୁଗୁଳ,ଏନ୍ଏନ୍ଏସ୍: ଚାକିରି କରାଇ ଦେବା କହି ଲୋକଙ୍କୁ ବର୍ଷ ବର୍ଷ ଧରି ଠକି ଆସୁଥିଲେ। କେବଳ ରାଜ୍ୟ ନୁହେଁ, ରାଜ୍ୟ ବାହାରର ଏପରି ବହୁ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ବାପ ପୁଅ ଶେଷରେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଅଭିଯୁକ୍ତମାନେ ହେଲେ ଅନୁଗୋଳ ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଓ ତାଙ୍କ ପୁଅ।

ଅଭିଯୋଗ ଅନୁଯାୟୀ, ଅନୁଗୋଳ ଥାନା ଅନ୍ତର୍ଗତ ବେଣାଗାଡ଼ିଆ ଅଞ୍ଚଳର ପ୍ରାଣବନ୍ଧୁ ଜେନା ନାମକ ବ୍ୟକ୍ତିଙ୍କ ପୁଅକୁ ଜାମସେଦପୁର ଟାଟା କମ୍ପାନୀରେ ଚାକିରି କରାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଘନଶ୍ୟାମ ମିଶ୍ର। ଏଥିନିମନ୍ତେ ପ୍ରାୟ ୩ ବର୍ଷ ବର୍ଷ ପୂର୍ବେ ପ୍ରାଣବନ୍ଧୁ ଘନଶ୍ୟାମଙ୍କୁ ୪ ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ। ମାତ୍ର ଦିନକ ପରେ ଦିନ ବିତିଥିଲେ ମଧ୍ୟ ଘନଶ୍ୟାମ ମିଶ୍ର ନିଯୁକ୍ତି ଦେଇ ପାରିନଥିବାରୁ ପ୍ରାଣବନ୍ଧୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ।

ଘନଶ୍ୟାମ ୩ଟି କିସ୍ତିରେ ୮୦ ହଜାର ଫେରସ୍ତ ଦେଇଥିଲେ। ଅବଶିଷ୍ଟ ଟଙ୍କା ପାଇଁ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ ଶିମିଳିପଡ଼ା ସ୍ଥିତ ଘନଶ୍ୟାମଙ୍କ ବାସଭବନକୁ ଯାଇଥିଲେ। ମାତ୍ର ସେଠାରେ ଘନଶ୍ୟାମ ଉଭୟଙ୍କୁ ଖରାପ ଭାଷାରେ ଗାଳିଗୁଲଜ, ଧମକ ଦେବା ସହ କାଠ ଫାଳିଆରେ ବଡେ଼ଇବାକୁ ଉଦ୍ୟତ ହୋଇଥିଲେ। ଏନେଇ ପ୍ରାଣବନ୍ଧୁ ଓ ତାଙ୍କ ପତ୍ନୀ କୋଲିୟରୀ ଥାନାରେ ଅଭିଯୋଗ କରିଥିଲେ।

ପରେ ଏହି ଘଟଣାର ତଦନ୍ତ କରି ପୁଲିସ୍‌ ଘନଶ୍ୟାମ ଓ ତାଙ୍କ ପୁଅଙ୍କ ଏକ ବଡ଼ ଧରଣର ଠକେଇ ବିଷୟରେ ଜାଣିବାକୁ ପାଇଥିଲା। ବାପା ପୁଅ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନାମୀଦାମୀ କମ୍ପାନୀରେ ନିଯୁକ୍ତି ଦେବା କହି ଜଣଙ୍କ ପିଛା ୨ରୁ ୩ ଲକ୍ଷ ଟଙ୍କା ନେଇଥିବା ଜଣାପଡ଼ିଥିଲା। ପରେ କୋଲିୟରୀ ପୁଲିସ‌ ବାପ ପୁଅଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଏନେଇ କୋଲିୟାରୀ ଥାନାରେ ଅଭିଯୋଗ ହେବା ପରେ ୨ ଜଣଙ୍କୁ ଗିରଫ କରାଯାଇଛି।