ବିମାନ ଦୁର୍ଘଟଣା ଟଳିଲା, ଅଳ୍ପକେ ବର୍ତ୍ତିଲେ ୨୩୧ ଯାତ୍ରୀ

ୱାଶିଂଟନ୍,ଏଜେନ୍ସି: ଆମେରିକାରେ ରବିବାର ଏକ ବଡ଼ ଧରଣର ବିମାନ ଦୁର୍ଘଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ବିମାନରେ ୨୩୧ ଯାତ୍ରୀ ଓ ୧୦ ବିମାନ କର୍ମଚାରୀ ଥିଲେ। ରିପୋର୍ଟ ଅନୁଯାୟୀ, ୟୁନାଇଟେଡ୍ ଏୟାର୍ ଲାଇନ୍ସର ବୋଇଙ୍ଗ-୭୭୭-୨୦୦ ବିମାନ ଡେନଭରରୁ ହନୋଲୁଲୁ ଯାଉଥିବା ସମୟରେ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ହଠାତ୍ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ବିମାନର କେତେକ ଭଗ୍ନାବଶେଷ ତଳକୁ ଖସି ପଡ଼ିଥିଲା। ଏହି ସମୟରେ ବିମାନଟି ୧୫ ହଜାର ଫୁଟ୍ ଉଚ୍ଚରେ ଉଡ଼ୁଥିଲା। ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ସମସ୍ତ ଯାତ୍ରୀ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ପାଇଲଟ୍ ଜଣକ ତୁରନ୍ତ କଣ୍ଟ୍ରୋଲ୍ ଷ୍ଟେସନକୁ ମେସେଜ୍ କରି ବିମାନଟିକୁ ପୁଣି ଡେନ୍ଭର୍ ଫେରାଇ ଆଣି ସେଠାରେ ନିରାପଦରେ ଅବତରଣ କରାଇଥିଲେ। ନ୍ୟାସନାଲ ଟ୍ରାନ୍ସପୋର୍ଟ ସିକ୍ୟୁରିଟି ବୋର୍ଡ(ଏନଟିଏସ୍ବି) ପକ୍ଷରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ନିମନ୍ତେ ଏକ ଟିମ୍ ଗଠନ କରାଯାଇଛି।