କନ୍ଦାଇବା ଆରମ୍ଭ କଲାଣି ପିଆଜ

ନୂଆଦିଲ୍ଲୀ,ଏଜେନ୍ସି: ବଢ଼ି ଚାଲିଛି ପିଆଜ ଦର। ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ସାଧାରଣରେ ଚର୍ଚ୍ଚାରେ ଥିବା ସମୟରେ ପିଆଜ ଦରରେ ଅଚାନକ୍ ବୃଦ୍ଧି ଯୋଗୁଁ ସାଧାରଣ ଖାଉଟି ମୁଣ୍ଡରେ ଚଡ଼କ ପଡ଼ିଛି। ଚଳିତମାସରେ ଦର କମିବାର ସମ୍ଭାବନା ନାହିଁ ବୋଲି ନାସିକ ସ୍ଥିତ ସବୁଠାରୁ ବଡ଼ ପିଆଜ ମଣ୍ଡିର ସମ୍ପାଦକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ବର୍ଷା ଯୋଗୁଁ ଅମଳ ପ୍ରଭାବିତ ହୋଇଛି। ଫଳରେ ଦର ବୃଦ୍ଧି ଘଟିଛି। ଗତ ୨୦ ତାରିଖକୁ ଦିଲ୍ଲୀର ମଣ୍ଡିରେ ଖୁଚୁରା ପିଆଜ ୫୦ ଟଙ୍କା କିଲୋ ଦରରେ ବିକ୍ରି ହେଉଛି। ଜାନୁଆରୀ ୧୯ ତାରିଖରେ ପିଆଜ ତର ୩୬ ଟଙ୍କା ଥିଲା। ମାତ୍ର ଏକ ମାସ ସମୟ ଅବଧିରେ ଦର ୧୪ ଟଙ୍କା ବୃଦ୍ଧି ପାଇଛି। ଭୁବନେଶ୍ୱର ୟୁନିଟ୍ ୱାନ୍ ହାଟରେ ଆଜି ପିଆଜ କିଲୋ ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଛି। କୃଷି, ସହକାରତା ତଥା କୃଷକ କଲ୍ୟାଣ ବିଭାଗର ୱେବ୍ସାଇଟ୍ରୁ ଉପଲବ୍ଧ ତଥ୍ୟ ଅନୁସାରେ ୨୦୧୮-୧୯ରେ ପିଆଜର ଉତ୍ପାଦନ ୨.୨୮ କୋଟି ଟନ୍ ଥିଲା। ୨୦୧୯-୨୦ରେ ସରକାରଙ୍କ ଅଗ୍ରୀମ ଆକଳନ ଅନୁସାରେ ଏହା ୨.୬୭ କୋଟି ଟନ୍। ମହାରାଷ୍ଟ୍ରରେ ଭାରତର ପିଆଜ ଉତ୍ପାଦନର ୨୮.୩୨ ଭାଗ ରହିଛି। ମହାରାଷ୍ଟ୍ରରେ ପିଆଜ ଉତ୍ପାଦନରେ ହ୍ରାସ ଘଟିଲେ ଦର ବୃଦ୍ଧି ଘଟିଥାଏ।