ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାର ସାମ୍ବାଦିକ ଲୀଳାଧର ରାଠୀ, ବିଜାପୁର ଜିଲ୍ଲାର ଗଣେଷ ମିଶ୍ରଙ୍କୁ ମାଓବାଦୀଙ୍କ ଦ୍ୱାରା ପ୍ରେସ ବିବୃତିରେ ଧମକ ଦିଆଯାଇଥିଲା। ପରେ ଏହାକୁ କେନ୍ଦ୍ର କରି ୪ ଟି ରାଜ୍ୟର ମିଳିତ ସାମ୍ବାଦିକ ମୋର୍ଚ୍ଚା ପକ୍ଷରୁ ସାମ୍ବାଦିକମାନେ ଛତିଶଗଡ଼ର ଜଗଦଲପୁରଠାରେ ଏକାଠୀ ହୋଇ ମାଓବାଦୀଙ୍କ ଧମକକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ ଛତିଶଗଡ଼, ଆନ୍ଧ୍ର୍ର, ତେଲେଙ୍ଗାନା ଓ ଓଡ଼ିଶାର ଶତାଧିକ ସାମ୍ବାଦିକ ଯୋଗ ଦେଇଛନ୍ତି। ମାଓ ପ୍ରବଣ ଜିଲ୍ଲାର ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ବେଳେ ମାଓବାଦୀମାନେ ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି। ଏଭଳି ଧମକ ପଛର କାରଣ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ଏହାପୂର୍ବରୁ ମଧ୍ୟ ଛତିଶଗଡ଼ର ୨ଜଣ ସାମ୍ବାଦିକଙ୍କୁ ହତ୍ୟା କରିବାକୁ ଧମକ ଦେଇ କାରଣ ଦର୍ଶାଇନଥିଲେ। ସାମ୍ବାଦିକମାନେ ପୁଞ୍ଜିପତିଙ୍କୁ ସହଯୋଗ କରୁଥିବା ଅଭିଯୋଗ କରି ଧମକ ଦେଇଥିବାବେଳେ ୪ ରାଜ୍ୟର ସାମ୍ବାଦିକମାନେ ଏହା ଭିତ୍ତିହୀନ ବୋଲି ଅଭିଯୋଗ କରିଛନ୍ତି। ସାମ୍ବାଦିକମାନେ ଦେଶର ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟ କରୁଥିବା ବେଳେ ମାଓବାଦୀଙ୍କ ଅଭିଯୋଗ ସମ୍ପର୍କରେ ଲୋକଲୋଚନକୁ ଆଣିବା ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। କିନ୍ତୁ ମାଓବାଦୀଙ୍କ ଏଭଳି ଧମକକୁ ସାମ୍ବାଦିକମାନେ କେବେ ବରଦାସ୍ତ କରିବେ ନାହିଁ ବୋଲି ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ ସାମ୍ବାଦିକଙ୍କ ବ୍ୟତୀତ ମାଲକାନଗିରି ଓୟୁଜେ ଶାଖାର ଉପଦେଷ୍ଟା ଦେବବ୍ରତ ସାନା, ସଭାପତି ଦେବ ପ୍ରସାଦ ଦାସ, ଉପସଭାପତି ସତ୍ୟନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ପ୍ରେମେନ୍ଦ୍ର ପରିଚ୍ଛା, ସୀମାଞ୍ଚଳ ବିଶ୍ୱାଳ ଓ ବିକ୍ରମ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ।