ବାଲେଶ୍ୱର,ଏନ୍ଏନ୍ଏସ୍: ୩୦ ଫୁଟ୍ ତଳକୁ ଖସି ପଡିଛି ଗୋରୁ ବୋଝେଇ କଣ୍ଟେନର୍। ୩୦ ଗୋରୁଙ୍କର ମୃତ୍ୟୁ ହେବା ସହ ୩ ଜଣ ଲୋକଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଗାନ୍ଧୀ ଛକ ନିକଟରେ।
ସୂଚନାଯୋଗ୍ୟ, ଗୋରୁ ବୋଝେଇ କଣ୍ଟେନରଟି ଭଦ୍ରକରୁ ଦ୍ରୁତ ଗତିରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। କଣ୍ଟେନରରେ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଥିଲେ। ବସ୍ତା ଗାନ୍ଧୀ ଛକ ନିକଟରେ କଣ୍ଟେନରଟି ଏକ ବୋଲେରୋକୁ ପଛ ପଟରୁ ଧକ୍କା ଦେଇ ୩୦ ଫୁଟ ତଳକୁ ଖସି ପଡ଼ିଥିଲା।
ଏହି ଦୁର୍ଘଟଣାରେ କଣ୍ଟେନରରେ ଥିବା ୩ ଶ୍ରମିକଙ୍କ ସମେତ ୩୦ ଗୋରୁଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥି ସହିତ କଣ୍ଟେନରେ ଥିବା ଅନ୍ୟ ଗୋରୁମାନେ ବହୁ ସମୟ ଧରି ଫସି ରହିଥିଲେ। ପରେ ଏନଏଚଏଆଇ କର୍ମଚାରୀ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଗୋରୁଙ୍କୁ ଉଦ୍ଧାର କରିଛନ୍ତି। ସେହିପରି ବୋଲେରୋରେ ଥିବା ୨ ଜଣ ମଧ୍ୟ ଗୁରୁତର ହୋଇପଡ଼ିଥିବା ବେଳେ ସେମାନଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି।