ଶ୍ରୀନଗର,ଏଜେନ୍ସି: ଦୁଇଦିନିଆ ଜମ୍ମୁ-କଶ୍ମୀର ଗସ୍ତରେ ଆସିଥିବା ବିଦେଶୀ ପ୍ରତିନିଧି ଦଳ ଯେଉଁ ହୋଟେଲରେ ଅବସ୍ଥାନ କରୁଛନ୍ତି, ସେଠାରେ ମାତ୍ର ଏକ କିଲୋମିଟର ଦୂର ଶ୍ରୀନଗରର ସୋନୱାର ଅଞ୍ଚଳରେ ଆତଙ୍କବାଦୀମାନେ ଗୁଳିମାଡ଼ କରିଛନ୍ତି। ପୁଲିସ ଏହାକୁ ଆତଙ୍କୀ ହମଲା ବୋଲି ଦର୍ଶାଇ କହିଛି ଯେ, ଆତଙ୍କବାଦୀଙ୍କ ଗୁଳିମାଡ଼ରେ ଆକାଶ ମାହରା ନାମକ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ମୁସଲିମ ଜାନବାଜ ଫୋର୍ସ ଜମ୍ମୁ-କଶ୍ମୀର ନାମରେ ଏକ ସଂଗଠନ ଏହି ହମଲା ପାଇଁ ନିଜକୁ ଦାୟୀ କରିଛି। ଆହତ ହୋଇଥିବା ଆକାଶ କ୍ରିଷ୍ଣା ହୋଟେଲର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି। ତାଙ୍କୁ ତୁରନ୍ତ ଶ୍ରୀମହାରାଜା ହରିସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଏହି କ୍ରିଷ୍ଣା ଢାବାରେ ପର୍ଯ୍ୟଟକମାନେ ଭରପୂର ଥିବାବେଳେ ଗୁଳିମାଡ଼ ହୋଇଥିଲା। ପୁଲିସ ଇତିମଧ୍ୟରେ ଏହାକୁ ଘେରାବନ୍ଦୀ କରି ରଖିଛି। ଆତଙ୍କବାଦୀମାନେ ଗୁଳିମାଡ଼ କରିଥିବା ଅଞ୍ଚଳ ଭିଭିଆଇପି ଅଞ୍ଚଳ ଭାବେ ପରିଚିତ।