କେନ୍ଦ୍ରୀୟ ଅବହେଳାକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ବିଜେଡି ତୟାର। ଏଥିପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି। କେନ୍ଦ୍ରୀୟ ଅବହେଳାକୁ ବିଜେଡି ମୁଖ୍ୟପ୍ରସଙ୍ଗ କରିବ ବୋଲି ସ୍ପଷ୍ଟ କରିଛି।
ବିଧାନସଭା ବଜେଟ୍ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ବୈଠକରେ ସାମିଲ୍ ହେବା ସହ ଅଧ୍ୟକ୍ଷତା କରିଥିଲେ। ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ, ବିରୋଧୀ ଦଳ ପକ୍ଷରୁ ଯେଉଁ ପ୍ରସଙ୍ଗ ଉତ୍ଥାପନ ହେବ ତାର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ। ବିଜେଡି ପକ୍ଷରୁ କେନ୍ଦ୍ରୀୟ ଅବହେଳାକୁ ଦଳ ପ୍ରମୁଖ ପ୍ରସଙ୍ଗ କରିବ। ଏଥିସହ କୋଇଲା ରୟାଲ୍ଟି ସଂଶୋଧନ, ଜିଏସଟି ବକେୟା ଅର୍ଥ ପ୍ରଦାନରେ ବିଳମ୍ବ, ଏମଏସ୍ ସ୍ୱାମୀନାଥନ୍ କମିଟି ରିପୋର୍ଟ ଆଧାରରେ ଏମଏସପି ବୃଦ୍ଧି ଦାବିି ପ୍ରସଙ୍ଗକୁ ବି ଉଠାଇବୁ। କେନ୍ଦ୍ର ସରକାର ସ୍ୱାମୀନାଥନ୍ କମିଟି ସୁପାରିଶକୁ ଲାଗୁ କରିବା ସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଦୁଇଗୁଣ କରନ୍ତୁ ଏବଂ ଚାଷୀଙ୍କ ସହିତ ବାରମ୍ବାର ଆଲୋଚନା କରି ସେମାନଙ୍କ ଦ୍ୱନ୍ଦ୍ୱ ଦୂର କରିବା ଦରକାର।
ଶ୍ରୀ ଆରୁଖ କହିଥିଲେ, କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବାରମ୍ବାର ଅବହେଳା ପ୍ରଦର୍ଶନ କରିଆସୁଛି। ବିଗତ ପାଞ୍ଚ ବର୍ଷରେ ପ୍ରାୟ ୬୦ ହଜାର କୋଟି ଟଙ୍କା ର ଅନୁଦାନ କାଟିଛି। ଏହି ପ୍ରସଙ୍ଗକୁ ବିଜେଡି ଗୃହରେ ଉଠାଇବ ବୋଲି ସେ ପ୍ରକାଶ କରିଥିଲେ। ବିଶେଷକରି ରେଳବାଇ କ୍ଷେତ୍ରରେ କେନ୍ଦ୍ର ସରକାର ଦୀର୍ଘ ଦିନ ଧରି ଅବହେଳା କରି ଆସୁଛନ୍ତି। ରାଜ୍ୟରୁ ବହୁ କୋଟି ଟଙ୍କର ରାଜସ୍ୱ ନେଉଥିଲେ ହେଁ ସେହି ତୂୂଳନାରେ ରେଳ ବଜେଟରେ ଅର୍ଥ ବାରାଦ ହେଉନାହିଁ। ଏସବୁ ପ୍ରସଙ୍ଗକୁ ବିଜେଡି ପକ୍ଷରୁ ଗୃହରେ ଉଠାଯିବ ବୋଲି ସେ ସ୍ପଷ୍ଟ କରିଥିଲେ।