କନକତୋରା ସେବା ସମବାୟ ସମିତିର ଧାନକିଣା ଟାର୍ଗେଟ ବୃଦ୍ଧି ଦାବି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ କନକତୋରା ସେବା ସମବାୟ ସମିତିରେ ଧାନକିଣା ଟାର୍ଗେଟ ବୃଦ୍ଧି ପାଇଁ ଚାଷୀମାନେ ଦାବି କରିଛନ୍ତି। ଚାଷୀମାନେ କହିଛନ୍ତି ଯେ, ସେମାନଙ୍କ ପାଇଁ ଟୋକନ ଇସ୍ୟୁ ହୋଇଛି। ହେଲେ ସମବାୟ ସମିତିରେ ଧାନ କ୍ରୟ କରିବାର ଟାର୍ଗେଟ ଶେଷ ହୋଇ ସାରିଛି। ଫଳରେ ସରକାରଙ୍କ ପକ୍ଷରୁ ଅଧିକ ଟାର୍ଗେଟ ନ ଆସିବା ଯାଏଁ ଧାନ କିଣାଯାଇ ପାରିବ ନାହିଁ ବୋଲି ସମବାୟ ସମିତି ପକ୍ଷରୁ ଚାଷୀଙ୍କୁ କୁହାଯାଇଛି। ଏଣୁ ପାଖରେ ଟୋକନ ଥାଇ ମଧ୍ୟ ଚାଷୀମାନେ ଧାନ ବିକ୍ରି କରି ପାରୁନାହାଁନ୍ତି। ତେଣୁ ଶୀଘ୍ର ସରକାର ଚାଷୀଙ୍କ ଏହି ସମସ୍ୟାର ସମାଧାନ ପୂର୍ବକ ଧାନ କ୍ରୟର ଟାର୍ଗେଟ ଓ ଟୋକନର ସମୟ ଧାର୍ଯ୍ୟକୁ ବୃଦ୍ଧି କରନ୍ତୁ ବୋଲି କନକତୋରା ପାକ୍ସ ଅଧୀନସ୍ଥ ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏହାସହ ସେମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଅଞ୍ଚଳର ଶହଶହ ଚାଷୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।