ସ୍ୱାମୀଙ୍କ ଋଣ ସୁଝିବେ ମନ୍ତ୍ରୀ ଟୁକୁନୀ ସାହୁ

ବଲାଙ୍ଗିର,ସଇଁନ୍ତଳା,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ବିଭିନ୍ନ ଜାଗାରେ ନେତା, ମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି। ଏହି କ୍ରମରେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଗୁଡ଼ଭେଲା ବ୍ଲକର ଜାମୁଟ ହାଇସ୍କୁଲ, ସଇନ୍ତଳାର କନ୍ୟାଶ୍ରମ ଏବଂ ଟିଟିଲାଗଡ଼ର ଧବଳେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି। କିନ୍ତୁ ଧବଳେଶ୍ୱର ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାର କାରଣ ଟିକିଏ ଭିନ୍ନ ରହିଛି। ମନ୍ତ୍ରୀଙ୍କ ଦିବଂଗତ ସ୍ୱାମୀ ଅଭିମନ୍ୟୁ ସାହୁ ଧବଳେଶ୍ୱର ହାଇସ୍କୁଲ୍‌ରେ ଶିକ୍ଷା ଗ୍ରହଣ କରିଥିଲେ । ତେଣୁ ସ୍ୱାମୀଙ୍କ ରାଜନୈତିକ ଦାୟିତ୍ୱ ସମ୍ଭାଳିଥିବାରୁ ସାମାଜିକ ଦାୟିତ୍ୱକୁ ବି ମୁଣ୍ଡାଇ ଧବଳେଶ୍ୱର ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି। ଆନୁଷଙ୍ଗିକ ସୁବିଧା ସୁଯୋଗ, ଶୈକ୍ଷିକ ବାତାବରଣ ଆଣିବା ସହିତ ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।