ସରକାରୀ ଯୋଜନା ଅପହଞ୍ଚ , ବାପା-ମାଆ ଛେଉଣ୍ଡ ଦୁଇ ପିଲାଙ୍କ ବସ୍ତାନୀରେ ଡୋରୀ

ନୂଆପଡ଼ା,ଏନ୍ଏନ୍ଏସ୍: ସରକାର ଲୋକଙ୍କ ପାଇଁ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଆରମ୍ଭ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାଜନେତା ଓ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବରୁ ସରକାରଙ୍କ ଯୋଜନା ଫଳପ୍ରଦ ହେଉନାହିଁ। ଏହି ଯୋଜନାରେ ଗରିବଲୋକମାନେ ପ୍ରକୃତରେ ଲାଭବାନ ହେଉନାହାଁନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ କୁଳିଆପଥର ରେଙ୍ଗଟାପଡ଼ାର ନାବାଳିକା ସୁଷମା ଚିନ୍ଦା (୧୩) ଓ ଖୀରମନ ଚିନ୍ଦା (୧୩) ଦୁଇ ଜଣଙ୍କ ମନରେ ପାଠପଢା ପ୍ରତି ଆଗ୍ରହ ରହିଛି। ସୁଷମା ସପ୍ତମ ଶ୍ରେଣୀରେ ପାଠ ପଢୁଥିବାବେଳେ, ବାପା ରାଜକୁମାର ଓ ମାଆ କଳାବତୀ ଅଜଣା ରୋଗରେ ପୀଡ଼ିତ ହୋଇ ପ୍ରାଣହରାଇଛନ୍ତି। ସେହିଦିନ ଠାରୁ ପାଠପଢାରେ ଡୋରି ବାନ୍ଧି ଦେଇଛନ୍ତି ସୁଷମା । ସେହିପରି ଖୀରମନ ଚିନ୍ଦା (୧୩) ଅଷ୍ଟମ ଶ୍ରେଣୀରେ ପାଠ ପଢୁଛନ୍ତି। ପିତାମାତାଙ୍କ ମୃତ୍ୟୁ ପରେ ସେହି ଦିନଠାରୁ ସୁଷମା ଓ ଖୀରମନ ସମ୍ପର୍କୀୟ ବଡ଼ ମାଆ ନିରେଦେଇଙ୍କ ଘରେ ରହୁଛନ୍ତି। ବଡ଼ମାଆ ଗରିବ ହୋଇଥିବାରୁ ଏମାନେ ଦୁର୍ବିସହ ଜୀବନ ବିତାଉଛନ୍ତି। ବଡ଼ମାଆ ଦୁହିଁଙ୍କୁ କୋଳେଇ କାଖେଇ ଏତେ ବଡ଼ କରିଛନ୍ତି । ପାଖରେ ଅର୍ଥ ନ ଥିବାରୁ ଉଭୟଙ୍କ ପାଠପଢା ହୋଇପାରୁନାହିଁ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଏମାନଙ୍କ ଉପରେ ପଡ଼ିନାହିଁ। ସରକାରୀ ଯୋଜନା ବି ଏମାନଙ୍କ ନିକଟରେ ପହଞ୍ଚି ନଥିବା ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ ଏହି ଦୁଇଜଣଙ୍କୁ ଜିଲ୍ଲା ପ୍ରଶାସନ ସରକାରୀ ଯୋଜନାରେ ସାମିଲ କରିନାହାଁନ୍ତି । ଏହି ଦୁଇ ନାବାଳିକା ଓ ନାବାଳକଙ୍କୁ ସରକାରୀ ସହାୟତା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।