ମେଡିକାଲ କଲେଜରୁ ଶିଶୁ ଚୋରି ଅଭିଯୋଗ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଏସଏନସିୟୁରୁ ନବଜାତକ ଶିଶୁ ଗାୟବ ହୋଇଥିବା ଟାଉନ୍ ଥାନାରେ ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ସିଲଟାଗୁଡ଼ା ଗ୍ରାମର ନରସିଂହ ଗୌଡ଼ ହସ୍ପିଟାଲର କୌଣସି କର୍ମଚାରୀ ଶିଶୁକୁ ବିକ୍ରି କରିଥିବା ଅଭିଯୋଗ କରିଛନ୍ତି। ମିଳିଥିବା ରିପୋର୍ଟ ମୁତାବିକ, ଗତ ୯ତାରିଖ ସକାଳେ ନରସିଂହଙ୍କ ପତ୍ନୀ ତୁଲସିନା ଘରେ ଏକ ଶିଶୁ ପୁତ୍ର ପ୍ରସବ କରିଥିଲେ। ପ୍ରସବ ପରେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ ପାପଡ଼ାହାଣ୍ଡି ହସ୍ପିଟାଲକୁ ନେଇଥିଲେ। ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତୁଲସିନାକୁ ୧୦ ତାରିଖରେ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ କୋରାପୁଟରେ ଡା. ତୁଲସିନାକୁ ମୃତ ଘୋଷଣା କରିଥିଲେ। ନବଜାତ ଶିଶୁକୁ ଏସଏନସିୟୁରେ ରଖି ଚିକିତ୍ସା କରିବା ପାଇଁ କେହି ଜଣେ ମହିଳା ତାଙ୍କ ଶିଶୁ ପୁତ୍ରକୁ ନେଇଥିବା ନରସିଂହ ଅଭିଯୋଗ କରିଛନ୍ତି। ନବଜାତକକୁ ସମ୍ପୃକ୍ତ ମହିଳାଙ୍କଠାରେ ହସ୍ତାନ୍ତର କରି ନରସିଂହ ଓ ପରିବାର ଲୋକ ତୁଲସିନାଙ୍କ ମୃତଦେହ ନେଇ ଗାଁକୁ ଚାଲି ଯାଇଥିଲେ। ପତ୍ନୀଙ୍କ ଶେଷକୃତ୍ୟ ସାରି ନରସିଂହ ୧୧ ତାରିଖରେ କୋରାପୁଟ ଫେରି ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଏସଏନସିୟୁରେ ନିଜ ଶିଶୁ ପୁତ୍ରକୁ ଖୋଜିଥିଲେ କିନ୍ତୁ ପାଇନଥିଲେ। ନରସିଂହ ମେଡିକାଲ୍ କର୍ମଚାରୀଙ୍କୁ ଛୁଆ କଥା ପଚାରିବାରୁ କେହି କୌଣସି ଉତ୍ତର ନଦେବାରୁ ସେ ବାଧ୍ୟ ହୋଇ ପୁଲିସର ସହାୟତା ନେଇଥିବା କହିଛନ୍ତି। କୌଣସି କର୍ମଚାରୀ ତାଙ୍କ ଛୁଆକୁ ବିକ୍ରି କରି ଦେଇଥିବା ନରସିଂହ ଥାନାରେ ଅଭିଯୋଗ କରିଛନ୍ତି। ପରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଟାଉନ ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକ, ସବଇନ୍ସପେକ୍ଟର ସୁଦର୍ଶନ ଅଧିକାରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାସ ଉପସ୍ଥିତ ରହି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପଚରାଉଚୁରା ଜାରି ରଖିଛନ୍ତି।